Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ଶୀତଳଷଷ୍ଠୀ

ତରଭା: ଶୀତଳଷଷ୍ଠୀ ଅବସରରେ ତରଭାର ଶ୍ରୀ ନୀଳକଣ୍ଠେଶ୍ବର ବାବା ଓ ମାତା ପାର୍ବତୀଙ୍କ ବିବାହ ବୁଧବାର ଧୁମଧାମରେ ସମ୍ପନ୍ନ ହୋଇଯାଇଛି।ଗୁରୁବାର ସନ୍ଧ୍ୟାରେ ଭୋଲେ ବାବା କନ୍ୟା ପିତାଙ୍କ ଘରୁ ମାଙ୍କ ସହ ବାହାରି ମନ୍ଦିରରେ ପ୍ରବେଶ କରିଛନ୍ତି।ବାବା ନୀଳକଣ୍ଠେଶ୍ବର ଓ ମାତା ପାର୍ବତୀଙ୍କ ବିବାହର ତିହାର ଶୀତଳଷଷ୍ଠୀରେ ଓଁ ନମ ଶିବାୟ ମନ୍ତ୍ରୋଚାରଣରେ ତରଭା ସହର ଶିବମୟ ହୋଇ ଉଠିଥିଲା।ପତରପେଣ୍ଡି,ନିର୍ବନ୍ଧ ଓ ଦେବ ନିମନ୍ତ୍ରଣ ନୀତି ସମ୍ପନ୍ନ ପରେ ବୁଧବାର ରାତ୍ରିରେ ବରଯାତ୍ରୀଙ୍କ ସହ ଭୋଲେ ବାବା ମହା ଆଡମ୍ବରରେ ମନ୍ଦିରରୁ ବାହାରି କନ୍ୟା ପିତାଙ୍କ ଘର ପୌର୍ଣ୍ଣମାସି ମନ୍ଦିର ନିକଟରେ ପହଞ୍ଚିଥିଲେ।ଏହି ବରଯାତ୍ରୀ ଦଳରେ ବିଭିନ୍ନ ଦେବାଦେବୀ ସାମିଲ ହୋଇଥିଲେ।ଚଳିତ ବର୍ଷ ସୁନାରୀପଡାର ପ୍ରଦୀପ ମାହାଣା ଓ ତାଙ୍କର ଧର୍ମପତ୍ନୀ ଗୀତା ସାହୁ ବର ପିତା ମାତାର ଦାୟିତ୍ୱ ନେଇଥିବା ବେଳେ ପୌର୍ଣ୍ଣମାସି ପଡାର ଅଶୋକ ସାହୁ ଓ ତାଙ୍କର ଧର୍ମପତ୍ନୀ ସୁଷମା ସାହୁ କନ୍ୟା ପିତା ମାତାର ଦାୟିତ୍ୱ ତୁଲାଇଥିଲେ।ବୁଧବାର ସନ୍ଧ୍ୟାରେ ବର ପିତା ସପତ୍ନୀକ ପିନ୍ଧାଣି ସାମଗ୍ରୀ ଧରି କନ୍ୟା ଘରକୁ ଯାଇ ରୀତି ନୀତି ହିସାବରେ ପିନ୍ଧାଣି କରାଇଥିଲେ।ଶିବ-ପାର୍ବତୀଙ୍କ ବିବାହ ବେଦୀରେ ତରଭାର କନ୍ଧ ସାହୁ ଓ ପ୍ରଭାତୀ ସାହୁଙ୍କ ଝିଅ ପ୍ରଜ୍ଞାର ବିବାହ କୁସନପୁରୀ ନିବାସୀ ନୃପତି ସରାଫ ଓ ନିରାବତୀଙ୍କ ପୁଅ ଆଜାଦ ସହିତ ସମ୍ପନ୍ନ କରାଯାଇଥିଲା।ଦେବ ଦେବୀଙ୍କ ପିତା ମାତା ସାଧ୍ୟମତେ ଯୌତୁକ ଦେଇ କନ୍ୟା ପ୍ରଜ୍ଞାକୁ ବିଦାୟ ଦେଇଥିଲେ।ପୂଜକ ପ୍ରମୋଦ ମହାପାତ୍ର ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିବା ବେଳେ ମନ୍ଦିର ପୂଜକ ଜନାର୍ଦ୍ଦନ ଥନାପତି,ଗୋବର୍ଦ୍ଧନ ଥନାପତି ଓ ଆଭାସ ଥନାପତି ସହଯୋଗ କରିଥିଲେ।ନୀଳକଣ୍ଠେଶ୍ବର ମନ୍ଦିର କମିଟି ସଭାପତି ସନ୍ତୋଷ ସାହୁଙ୍କ ସମେତ ପର୍ଶୁରାମ ସାହୁ,ଶଙ୍କର ସାହୁ,ଭବାନୀ ଶଙ୍କର ସାହୁ,ସନସିତ ସାହୁ,ବିକ୍ରମ ନାଏକ,ଗୁଞ୍ଜୁରୁ ଗୁରୁ, ଶିବୁ ଷଡଙ୍ଗୀ,ଅଶୋକ ସାହୁ ପ୍ରମୁଖ ଯାତ୍ରା ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ