ବାବା ମୁକ୍ତେଶ୍ଵର ମନ୍ଦିର ନଦୀ ପାଣିରେ ବୁଡି ଶ୍ରଦ୍ଧାଳୁ ପର୍ଯଟକଙ୍କ ମୃତ୍ୟୁ
ଜମନକିରା : ସୁଦୂର ତାମିଲନାଡୁ ରୁ ଆସି ଜମନକିରା ସ୍ଥିତ ବାବା ମୁକ୍ତେଶ୍ଵର ମହାଦେବଙ୍କ ଦର୍ଶନ ପାଈଁ ପହଞ୍ଚିଥିଲେ। ତେବେ କିଏବା ଜାଣିଥିଲା ବାବା ମୁକ୍ତେଶ୍ଵର ଧାମରେ ତାଙ୍କୁ ମୃତ୍ୟୁ ଜଗିବସିଛି। ଘଟଣା ଘଟିଛି ବାବା ମୁକ୍ତେଶ୍ଵର ମନ୍ଦିର ଜଳଧି ରେ ଆଜି, ମୃତ ବ୍ୟକ୍ତି ହେଲେ ତାମିଲନାଡୁ ରାଜ୍ୟ ଆମ୍ବାଟୁର ଜିଲ୍ଲା କ୍ରିଷ୍ଣାପୁରମ୍ ସହର ର ବାଲାଜୀ ଗଣେଶ କୁମାର ସୁବ୍ରମଣ୍ୟମ ( ୩୦ ) ବୋଲି ଜଣାଯାଇଛି।
ପୋଲିସର ସୂଚନା ଅନୁଯାଇ କ୍ରିଷ୍ଣନାପୁରମ ସହର ତାମିଲନାଡୁ ରୁ କିଛି ଯୁବକ ଓ ମହିଳା ପର୍ଯ୍ୟଟକ ପରିବାର ବର୍ଗଙ୍କ ସହ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବାବା ମୁକ୍ତେଶ୍ଵର ଧାମକୁ ଦର୍ଶନ ପାଈଁ ଆସିଥିଲେ। ମନ୍ଦିର ପାର୍ଶ୍ୱ ଝରଣାରେ ଗାଧୋଇବା ସମୟରେ ବାଲାଜୀ ଗଣେଶ କୁମାର ସୁବ୍ରମଣ୍ୟମଙ୍କ ଗୋଡ଼ ଖସିଯାଇ ପାଣିରେ ବୁଡି ଯାଇଥିଲେ। ସେ ପହଁରା ଜାଣି ନଥିଲେ, ଗାଧୋଉ ଗାଧୋଉ ନଦୀ ଗର୍ଭରେ ପଶି ଯାଇଥିଲା। ତାଙ୍କ ସାଥିରେ ଥିବା ଅନ୍ୟ ପର୍ଯ୍ୟଟକ ଦୀର୍ଘ ଏକ ଘଣ୍ଟା ପରିଶ୍ରମ କରି ତାଙ୍କୁ ପାଣିରୁ ବାହାର କରି ଜମନକିରା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ କୁ କୁଚିଣ୍ଡା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

