ଆସନ୍ତା ଗୁରୁବାର ଭାରତ ବନ୍ଦ ଡାକରା! ଆନ୍ଦୋଳନରେ ୧୦ରୁ ଅଧିକ ଶ୍ରମିକ ଓ ଚାଷୀ ସଂଗଠନ ସାମିଲ, ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ଉପରେ ପଡିବ ପ୍ରଭାବ
ଭୁବନେଶ୍ୱର,୧୦|୨: ଆସନ୍ତା ଗୁରୁବାର ଦେଶବ୍ୟାପୀ ଭାରତ ବନ୍ଦ ଡାକରା ! ଦୋକାନ ବଜାର ଏବଂ ଗାଡି ଚଳାଚଳ ଉପରେ ପଡିବ ପ୍ରଭାବ | ନିଜର ଦାବି ପୂରଣ ପାଇଁ ରାଜ ରାସ୍ତାକୁ ୧୦ ଶ୍ରମିକ ସଂଗଠନ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଥିବା ବେଳେ, ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେଇଛି । ମନରେଗା ଉଚ୍ଛେଦ ସହ ଶ୍ରମିକ ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ।
ତେବେ ଶ୍ରମିକ ମାନଙ୍କ ଏହି ଦାବିକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ୧୨ ତାରିଖ ଦିନ ହେବାକୁ ଥିବା ଧର୍ମଘଟରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ କଂଗ୍ରେସ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବ | ଶ୍ରମିକ, ସାଧାରଣ ଉପଭୋକ୍ତା ଏବଂ କୃଷକ ମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ପର୍ଯ୍ୟନ୍ତ ନେତା ଏବଂ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଓଡ଼ିଶା କଂଗ୍ରେସର ମୂଳ ପ୍ରସଙ୍ଗ ମନରେଗା, ବିଜୁଳି ଏବଂ ଧାନସଂଗ୍ରହ ପ୍ରକ୍ରିୟାକୁ ଧର୍ମଘଟରେ ଗୁରୁତ୍ବ ଦିଆଯିବା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ପିସିସି ସଭାପତି କହିଛନ୍ତି ।
ଗତ ଜାନୁଆରୀ ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଇଥିଲା । ଆଉ ଏବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦେଶବ୍ୟାପୀ ଭାରତ ବନ୍ଦ କରିବାକୁ ଡାକରା ଦେଇଛି । ସେତେବେଳେ ମଧ୍ୟ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଥିଲା ।କିନ୍ତୁ ଏହି ଆନ୍ଦୋଳନ ସେତିକି ପ୍ରଭାବ ପକାଇନଥିଲା | ଓଡ଼ିଶା ବନ୍ଦ ଆନ୍ଦୋଳନ ବିଫଳ ହୋଇଥିଲା । କିନ୍ତୁ ଆସନ୍ତା ୧୨ ତରିଖ ଭାରତ ବନ୍ଦ ଡାକରା କେତେ ସଫଳ ହେଉଛି ତାହା ଆଗାମୀ ସମୟରେ ଜଣାପଡିବ |

