Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରାଜ୍ୟସଭା ଭୋଟ୍‌! କିଏ ହାତେଇବ ଚତୁର୍ଥ ଆସନ? ଦାଶରଥିଙ୍କୁ ନୋଟିସ୍ ଦେଲା କଂଗ୍ରେସ

ଭୁବନେଶ୍ବର,୧୬।୩: ଆଜି ରାଜ୍ୟସଭା ନିର୍ବାଚନ! ଆଉମାତ୍ର କିଛି ଘଣ୍ଟା ବାକି ରହିଛି। ଚତୁର୍ଥ ଆସନକୁ ନେଇ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟ ହୋଇଛି। ପ୍ରମୁଖ ଦଳ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି କରୁଛନ୍ତି। ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ ଏବେ କଷ୍ଟସାଧ୍ୟ ହୋଇ ପଡ଼ିଲାଣି । ନିର୍ଦ୍ଦିଷ୍ଟ କିଛି ବିଧାୟକକୁ ନେଇ ଦଳକୁ ଚିନ୍ତା ଘାରିଛି ।

କଂଗ୍ରେସ ପକ୍ଷରୁ କାଲି ବିଧାୟକ ଦାଶରଥି ଗମାଙ୍ଗୋଙ୍କୁ ଦୁଇଟି ନୋଟିସ୍ ପଠାଯାଇଛି। ନୋଟିସ୍ ରେ ସଂଧ୍ୟା ୬ଟା ସୁଦ୍ଧା ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା ଯେ, ଆପଣଙ୍କୁ ଦଳୀୟ ନେତୃତ୍ବ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଛନ୍ତି। ଭୁବନେଶ୍ବର ବାସଭବନ ଓ ଗାଁରେ ଖୋଜିବାକୁ କରାଯାଇଥିଲା ଚେଷ୍ଟା । କିନ୍ତୁ ତାଙ୍କର ଏହି ରହସ୍ୟମୟ ଉଭାନ ରାଜ୍ୟବାସୀଙ୍କ ନିକଟକୁ ଭୁଲ ବାର୍ତ୍ତା ଯାଉଛି ବୋଲି ଚେତାଇ ଦିଆଯାଇଥିଲା। କିନ୍ତୁ ଏହି ନୋଟିସ୍‌କୁ ଗମାଙ୍ଗୋଙ୍କ ଉପରେ କିଛି ପ୍ରଭାଵ ପଡି ନଥିଲା । ସନ୍ଧ୍ୟାରେ ପୁଣି ଦଳ ପକ୍ଷରୁ ଏକ କଡ଼ା ନୋଟିସ୍ ପଠାଯାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ଯେ, “ଆପଣଙ୍କ କାର୍ଯ୍ୟକଳାପ ଯୋଗୁଁ ଆପଣ ଦଳର ନିଷ୍ପତ୍ତି ବିରୋଧରେ ଯିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁତରାଂ ଆପଣଙ୍କ ଏପରି କାର୍ଯ୍ୟ କଂଗ୍ରେସର ସଦସ୍ୟତାକୁ ସ୍ବେଚ୍ଛାକୃତ ଭାବେ ଛାଡ଼ୁଛନ୍ତି ବୋଲି ଗଣାଯିବ। ତେଣୁ ଆପଣଙ୍କ ସଦସ୍ୟତା ରଦ୍ଦ ହୋଇପାରେ।” ଏହାର ଉଦାହରଣ ମଧ୍ୟ ରହିଛି । ଏହା ପୂର୍ବରୁ ଏପରି ପରିସ୍ଥିତିରେ ଶରତ ଯାଦବଙ୍କ ରାଜ୍ୟସଭା ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଥିଲା। ଯଦି ୧୬ ତାରିଖ ପୂର୍ବାହ୍ଣ ୯ଟା ସୁଦ୍ଧା ଦଳୀୟ ନେତୃତ୍ବଙ୍କ ସହ ଯୋଗାଯୋଗ ନ କରନ୍ତି ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସତର୍କ କରିଦିଆଯାଇଛି। ଏହାସହିତ କଂଗ୍ରେସର ଦୁଇ ଜଣ ଅସନ୍ତୁଷ୍ଟ ବିଧାୟକ ରମେଶ ଜେନା ଓ ସୋଫିଆ ଫିର୍‌ଦୋସ ଏପର୍ଯ୍ୟନ୍ତ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ସେମାନେ କଂଗ୍ରେସ ସପକ୍ଷରେ ରହିବା ନେଇ ପିସିସି ସଭାପତି ଭକ୍ତଚରଣ ଦାସ ଆଶାବାଦୀ ଅଛନ୍ତି।

ଅନ୍ୟପଟେ, ରାଜ୍ୟସଭା ପାଇଁ ନବୀନ ନିବାସରେ ଅନୁଷ୍ଠିତ ହେଉଥିବା ବିଜେଡିର ବୈଠକରେ ଲଗାତାର ଭାବେ ତିନି ବିଧାୟକ ଅନୁପସ୍ଥିତ ରହୁଛନ୍ତି। ଗତକାଲି ମଧ୍ୟ ସୌଭିକ ବିଶ୍ବାଳ, ନବକିଶୋର ମଲ୍ଲିକ ଓ ଚକ୍ରମଣି କହଁର ନବୀନ ନିବାସ ଆସି ନଥିବା ନେଇ ସୂଚନା ରହିଛି। ନବକିଶୋର ଓ ଚକ୍ରମଣିଙ୍କୁ ଯୋଗାଯୋଗ କରିବାକୁ ଦଳ ପକ୍ଷରୁ ସବୁପ୍ରକାର ଚେଷ୍ଟା କରାଯିବା ସତ୍ତ୍ବେ ସେମାନଙ୍କ ସାଥିରେ କୌଣସି ପ୍ରକାରେ ସଂଯୋଗ ହୋଇ ନାହିଁ। ଶେଷରେ ଦଳ ବାଧ୍ୟ ହୋଇ ସନ୍ଧ୍ୟାରେ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। କାଲି ରାତି ୯ଟା ସୁଦ୍ଧା ନବୀନ ନିବାସରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଉଭୟ ଏହାକୁ ଖାତିର କରି ନଥିଲେ। ଅନ୍ୟପଟେ, ସୌଭିକଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଅନେକ ଉଦ୍ୟମ କରାଯାଇଥିଲା। କିନ୍ତୁ ବାପା ପ୍ରଭାତ ବିଶ୍ବାଳଙ୍କୁ ବିଜେଡି ଯେପରି ଅପମାନିତ କରିଛି, ତାହା କୌଣସି ପୁଅ ଗ୍ରହଣ କରିପାରିବ ନାହିଁ ବୋଲି କହି ସେ, ରୋକଠୋକ୍ ଜଣାଇ ଦେଇଛନ୍ତି। ତଥାପି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦଳ ପକ୍ଷରୁ ଯୋଗାଯୋଗ ଜାରି ରହିଛି।

ବିଜେଡିର ସୁବାସିନୀ ଜେନା ସମ୍ପୂର୍ଣ୍ଣ ଭାବେ ବିଜେଡି ବୈଠକରେ ସାମିଲ ହେବା ସହ ଦଳର ନିଷ୍ପତ୍ତି ମାନିବେ ବୋଲି ବାରମ୍ବାର ଗଣମାଧ୍ୟମକୁ କହୁଛନ୍ତି। କିନ୍ତୁ ବିଜେଡିର ଅଧିକାଂଶ ବିଧାୟକ ଏହାକୁ ଗ୍ରହଣ କରି ପାରୁନାହାନ୍ତି। ଦଳର ସୁପ୍ରିମୋ ମଧ୍ୟ ଦ୍ବନ୍ଦ୍ବରେ ରହିଛନ୍ତି। ସୁବାସିନୀଙ୍କ ବ୍ୟତୀତ ଉତ୍ତର ଓଡ଼ିଶାର ଜଣେ ଓ ଉପକୂଳ ଓଡ଼ିଶାର ଜଣେ ବିଧାୟକ ବି ସନ୍ଦେହରେ ଅଛନ୍ତି। ପ୍ରଥମ ଥର ପାଇଁ ନବୀନଙ୍କ ନେତୃତ୍ବକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରିଛନ୍ତି କିଛି ବିଧାୟକ। ଯେ କୌଣସି ଉପାୟରେ ତିନି ବିଧାୟକଙ୍କୁ ଖୋଜିବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଅନ୍ୟପଟେ, ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ବିଜେପିକୁ ଟାର୍ଗେଟ କରି ଦାବି କରିଛନ୍ତି ଯେ, ନିର୍ବାଚନ ସମୟରେ ଦୁଇ ଜଣ ବିଧାୟକଙ୍କୁ ବିଜେପି ଲୁଚାଇ ରଖିଚି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ନେଇ ସନ୍ଦେହ କରାଯାଉଛି । ଯଦି ଏହା ଯଦି ସତ ହୁଏ, ତେବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିଶ୍ଚିତ ଭାବେ ଭୁଶୁଡ଼ି ଯାଇଛି। ଯଦି ଉକ୍ତ ବିଧାୟକ ଦଳର ନିଷ୍ପତ୍ତି ଅନୁଯାୟୀ ଭୋଟ୍‌ ନ ଦିଅନ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ତେବେ ଏ ଛକାପଞ୍ଝା ମଧ୍ୟରେ ନିର୍ବାଚନ ଯେତିକି ରୋଚକ ହେବ ସେତିକି ସଂଘର୍ଷପୂର୍ଣ୍ଣ । ପୂର୍ବରୁ ଘୋଡା ବେପାରକୁ ନେଇ ସନ୍ଦେହ କରାଯାଉଥିବା କଥା ବି ଧୀରେ ଧୀରେ ପ୍ରମାଣିତ ହେବା ଭଳି ଲାଗୁଛି। ନିର୍ବାଚନ ହେବା ପାଖାପାଖି କିଛି ଦଳରୁ ନିଲମ୍ବନ ହେଉଛନ୍ତି ତ ଆଉ କିଛି ଦଳ ଛାଡ଼ିବାରେ ଲାଗିଛନ୍ତି। ଆଉ କିଛି ବିଧାୟକଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଏହାକୁ ନେଇ ଦଳକୁ ଘାରିଛି ଚିନ୍ତା। ନିର୍ବାଚନକୁ ନେଇ ଆଉ କିଛି ଘଣ୍ଟା ରହିଥିବା ବେଳେ କିଛି ନେତା ଆଉ ବିଧାୟକ ଦଳର ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। ତେବେ ଏତେ ସବୁ ପରେ ଲଢେଇ କେତେ ରୋଚକପୂର୍ଣ୍ଣ ହେବ ତାହା ଆଗାମୀ ଫଳାଫଳ ପରେ ଜଣାପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ