ଏସ୍ସିବିରେ ଭୟଙ୍କର ଅଗ୍ନିକାଣ୍ଡ! ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ; ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ
କଟକ,୧୬।୩: କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଏକ ୱାର୍ଡରେ ନିଆଁ ଲାଗି ଯାଇଛି । ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ, ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ତୁରନ୍ତ ସ୍ଥାନାନ୍ତର କରିବା ସହଜ ହୋଇ ନଥିଲା। ଏଥିରେ ଅଧିକାଂଶ ରୋଗୀଙ୍କ ଶ୍ୱାସରୁଦ୍ଧ ହେବା କାରଣରୁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ।
ସୂଚନା ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଏହି ଘଟଣା ପରେ ମେଡିକାଲ ପରିସରରେ ଶୋକାକୁଳ ଓ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ରୋଗୀମାନଙ୍କୁ ଅନ୍ୟତ୍ର ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ୍ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଏହି ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଟ୍ରମା କେୟାରରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ଆଇସିୟୁରେ ଥିବା ଅନ୍ୟ ରୋଗୀଙ୍କ ଆରୋଗ୍ୟ କାମନା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଗ୍ନକାଣ୍ଡ ଘଟଣା ଏବେ ବଡ଼ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ରୋଗୀ ସୁରକ୍ଷିତ ହେବା ପାଇଁ ଆସି ମୃତ୍ୟୁର ଶିକାର ହେଉଛନ୍ତି। ଏଥିରୁ ସ୍ପଷ୍ଟ ହେଉଛିଯେ, ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା କେଉଁଠି?

