ତେଲକୁ ନେଇ ଚିନ୍ତାରେ ଶ୍ରୀଲଙ୍କା! ସପ୍ତାହକୁ ୪ ଦିନ ଖୋଲିବ ସ୍କୁଲ ଓ ଅଫିସ
ଶ୍ରୀଲଙ୍କା, ୧୭|୩: ଶ୍ରୀଲଙ୍କାରେ ବର୍ତ୍ତମାନ ଭୟଙ୍କର ଇନ୍ଧନ ସଙ୍କଟ ଦେଖିବାକୁ ମିଳୁଛି | ଯାହାର ମୂଳ କାରଣ ହେଉଛି ଆମେରିକା- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଥିବା ବିବାଦ | ଏହି ଵିଵାଦ ଯୋଗୁଁ ତେଲ ଯୋଗାଣ ରେ ସମସ୍ୟା ମଧ୍ୟ ଉପୁଜୁଛି । ନିକଟରେ ଇରାନ ତାର ହର୍ମୁଜ୍ ସମୁଦ୍ରପଥକୁ ବନ୍ଦ କରିଦେଇଛି | ଏହି ସମୁଦ୍ର ପଥ ବନ୍ଦ ହେବାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ତେଲ ଆସିପାରୁ ନାହିଁ | ଯାହା ଫଳରେ ଶ୍ରୀଲଙ୍କା ଏବେ ବଡ ବିପଦର ସମ୍ମୁଖୀନ ହେଉଛି | ତେବେ ଏହି ପରିସ୍ଥିତିକୁ ଦେଖି ଶ୍ରୀଲଙ୍କା ସରକାର ସପ୍ତାହରେ ୪ ଦିନ କାମ ବ୍ୟବସ୍ଥା ଆରମ୍ଭ କରି, ପ୍ରତ୍ୟେକ ବୁଧବାରକୁ ଛୁଟି ଘୋଷଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟ, ସ୍କୁଲ୍ ଓ ବିଶ୍ୱବିଦ୍ୟାଳୟରେ ଏହା ଲାଗୁ ହୋଇଥିବା ବେଳେ, ଆବଶ୍ୟକ ସେବା ଯଥା ହସ୍ପିଟାଲ୍ ଓ ବନ୍ଦର ସାଧାରଣ ଭାବେ ଚାଲୁ ରହିଛି ।
ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କାରେ ଇନ୍ଧନ ରେସନିଂ ମଧ୍ୟ ଚାଲିଛି, ଯେଉଁଠାରେ ଲୋକମାନେ ସପ୍ତାହକୁ ସୀମିତ ପେଟ୍ରୋଲ୍ ପାଉଛନ୍ତି | ଏବଂ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସରକାର ରିମୋଟ୍ କାମ ଏବଂ ଯାତାୟାତ କମାଇବାକୁ ପରାମର୍ଶ ଦେଉଛନ୍ତି , ଯାହା ଦ୍ୱାରା ଇନ୍ଧନ ସଞ୍ଚୟ ହୋଇପାରିବ | ୨୦୨୨ର ଭୟଙ୍କର ଅର୍ଥନୈତିକ ସଙ୍କଟ ପରେ ଦେଶ ଯେଉଁଠାରେ ସୁଧାର ହେଉଥିଲା, ସେଠାରେ ଏହି ନୂଆ ସଙ୍କଟ ପୁଣି ଚିନ୍ତା ବଢ଼ାଇଛି । ଯଦି ଯୁଦ୍ଧ ଆଗକୁ ଜାରି ରୁହେ, ତେବେ ଏହି ସମସ୍ୟା ଆହୁରି ଗଭୀର ହେବାର ସମ୍ଭାବନା ରହିଛି ବୋଲି ସରକାର ସତର୍କ କରିଛନ୍ତି ।

