ବସ୍ରେ ଲାଗିଲା ନିଆଁ! ଅଳ୍ପକେ ବର୍ତ୍ତିଲେ ବିଧାୟକଙ୍କ ସମେତ ୩୦ରୁ ଅଧିକ ଯାତ୍ରୀ
ମାଲକାନଗିରି, ୨୧|୩: ହୁତୁହୁତୁ ହୋଇ ଜଳୁଥିବା ବସରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ ଏବଂ ୩୦ରୁ ଅଧିକ ଯାତ୍ରୀ! ମାଲକାନଗିରି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ,ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଏହି ଘରୋଇ ବସଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା | କିନ୍ତୁ ରାତି ପ୍ରାୟ ୩ଟା ପାଖାପାଖି ଆନ୍ଧ୍ର ପ୍ରଦେଶର ରାମ ଭଦ୍ରପୁରମ ନିକଟରେ ସଟ ସର୍କିଟ ହୋଇ ଭୟଙ୍କର ନିଆଁ ଲାଗିଥିଲା । ଯାହା ଫଳରେ ବସଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି | ତେବେ ନିଆଁ ଲାଗିବ ପରେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ କିନ୍ତୁ ବସ ସହ ଜିନିଷ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ଏହାମଧ୍ୟରେ ଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ | ସେ ମଧ୍ୟ ସେହି ବସରେ ମାଲକାନଗିରି ଅଭିମୁଖେ ଯାଉଥିଲେ | ଏହି ଘଟଣା ପରେ ଆନ୍ଧ୍ର ପ୍ରଦେଶ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

