ଜିପିଆର୍ ସର୍ଭେ ରିପୋର୍ଟରୁ ଆସିଛି ରୋଚକ ତଥ୍ୟ! ପୁରୀ ସହର ମାଟିତଳୁ ମିଳିଲା ଐତିହ୍ୟ ନଗରୀ ପ୍ରମାଣ !
ପୁରୀ, ୨୩|୩: ପୁରୀରେ ମାଟିତଳୁ ମିଳିଲା ଐତିହ୍ୟ ନଗରୀର ପ୍ରମାଣ । ଜିପିଆର୍ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି ରୋଚକ ତଥ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଖନନ ପ୍ରକ୍ରିୟା ଚାଲିଥିଲା ଆଉ ଏହି ସମୟରେ ମାଟିତଳୁ ଗଙ୍ଗବଂଶ ସମୟର କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ଏହା ପରେ ସେହି ସ୍ଥାନରେ ଜିପିଆର୍ ସର୍ଭେ ହୋଇଥିଲା। ଏବେ ଜିପିଆର୍ ସର୍ଭେ ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ପୁରୀର ମାଟିତଳେ ଏକ ଐତିହ୍ୟ ନଗରୀ ଥିବା ସ୍ପଷ୍ଟ ହୋଇଛି ।
ତେବେ ରିପୋର୍ଟରୁ ଏହା ମଧ୍ୟ ପ୍ରକାଶ ହୋଇଛିଯେ, ଏହି ନଗରୀ କେବଳ ଶ୍ରୀମନ୍ଦିର ଆଖପାଖ ନୁହେଁ ପୁରା ସହରରେ ରହିଛି ଏ ନଗରୀ। ଶ୍ରୀକ୍ଷେତ୍ର ମାଟିତଳେ ଐତିହ୍ୟ କୀର୍ତ୍ତିରାଜି ପରିପୂର୍ଣ୍ଣ ହୋଇ ରହିଛି। ଏହାସହିତ ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଲମ୍ବିଥିବା ନେଇ ମଧ୍ୟ ରିପୋର୍ଟରୁ ସ୍ପଷ୍ଟ ହୋଇଛି | ସହରରେ ୨୧.୬ ବର୍ଗମିଟର ପରିମିତ ଅଞ୍ଚଳରେ କୋଠା ରହିଛି। ଏମାର ମଠ, ନୃସିଂହ ମନ୍ଦିର, ବୁଢ଼ୀ ମା ମନ୍ଦିର, ମନ୍ଦିର ରାସ୍ତା ଅଞ୍ଚଳରେ ଏଗୁଡିକ ଠାବ ହୋଇଛି। ଏସବୁ ଅଞ୍ଚଳରେ ଏଭଳି ୪୩ଟି ଐତିହ୍ୟ ଠାବ କରାଯାଇଛି । ଏ ସବୁ ମଧ୍ୟରେ ମାଟି, ଧାତୁର ପାତ୍ର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଠାବ କରାଯାଇଛି।

