ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପେନସନ୍ ଧାରୀ ଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ଙ୍କୁ ଦାବିପତ୍ର
ବୀରମହାରାଜପୁର : ଦିନକୁ ଦିନ ବଢ଼ୁଥିବା ଜୀବନଯାପନର ଭାର ମଧ୍ୟରେ, ପେନସନଧାରୀମାନଙ୍କ ଆଶା ଏବଂ ଆତ୍ମସମ୍ମାନକୁ ଆଘାତ ଦେଇଛି କେନ୍ଦ୍ର ସରକାରଙ୍କ ନୂତନ ସିଦ୍ଧାନ୍ତ। ପୂର୍ବ ଆଲୋଚନା ବିନା ଆଇନରେ ପରିବର୍ତ୍ତନ କରି, ୦୧/୦୧/୨୦୨୬ ସୁଦ୍ଧା ଅବସର ନେଇଥିବା ସରକାରୀ କର୍ମଚାରୀମାନଙ୍କୁ ବର୍ଦ୍ଧିତ ପେନସନ ଓ ଅଷ୍ଟମ ବେତନ କମିଶନର ଲାଭରୁ ବଞ୍ଚିତ କରାଯାଇଛି। ଯେତେବେଳେ ପ୍ରତ୍ୟେକ ଦିନ ଜୀବନର ଆବଶ୍ୟକୀୟ ସାମଗ୍ରୀର ଦର ଆକାଶଛୁଆଁ ହେଉଛି, ସେତେବେଳେ ପେନସନଧାରୀମାନଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯିବା ତାଙ୍କ ଜୀବନରେ ଅନ୍ୟାୟର ଏକ ଗଭୀର ଛାୟା ପକାଇଦେଇଛି। ଦୀର୍ଘ ବର୍ଷର ସେବା ପରେ, ସେମାନଙ୍କର ଅଧିକାର ଓ ସୁରକ୍ଷା ନିଶ୍ଚିତ ହେବାର ଆଶା ଥିଲା, କିନ୍ତୁ ଏହି ସିଦ୍ଧାନ୍ତ ସେହି ଆଶାକୁ ଅନିଶ୍ଚିତତାରେ ପରିଣତ କରିଛି। ଏହି ଅନ୍ୟାୟ ପ୍ରତି ବିରୋଧ ଜଣାଇ, ବୀରମହାରାଜପୁର ବରିଷ୍ଟ ନାଗରିକ ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ତୀବ୍ର ନିନ୍ଦା ପ୍ରକାଶ କରିଛନ୍ତି। ବୁଧବାର ସେମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରି, ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ ଜଣାଇଛନ୍ତି। ଏହା କେବଳ ଏକ ଦାବୀ ନୁହେଁ, ବରଂ ସେମାନଙ୍କର ଜୀବନର ସଂଗ୍ରାମ ଓ ନ୍ୟାୟ ପାଇଁ ଏକ ଦୃଢ଼ ସ୍ୱର l ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ରେ ସଭାପତି ଦୟାନିଧି ହୋତା, ପୁର୍ବତନ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ, ଭାଗବାନ ମିଶ୍ର, କାର୍ଯ୍ୟକାରୀ ସଭାପତି ରାଧାଶ୍ୟାମ ପୁରୋହିତ , ସଙ୍ଗଠନ ର ବରିଷ୍ଠ ସଦସ୍ୟ ତଥା ଶିକ୍ଷକ ଏକତା ମଞ୍ଚ ଭୁବନେଶ୍ବର ସଭ୍ଯ ଧନୁ ପଧାନ, ସଭ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ, ସତ୍ୟ ନାରାୟଣ ନାଏକ, ପ୍ରମୂଖ ସାମିଲ ଥିଲେ I

