ବିଶ୍ଵ ରେକର୍ଡ ରେ ଯାଦୁଗର ଉଦ୍ଭବ ପଧାନ ଙ୍କୁ ସ୍ଵର୍ଣ୍ଣ ପଦକ
ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡପାଲି ଗ୍ରାମର ଯାଦୁଗର ଉଦ୍ଧବ ପଧାନ ଜିନିଅସ ୱାର୍ଲଡ ରେକର୍ଡ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ଏପ୍ରିଲ ୧ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାରେ ଆୟୋଜିତ ଏକ ବିଶ୍ୱ ରେକର୍ଡ ପ୍ରୟାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜିନିଅସ ୱାର୍ଲଡ ରେକର୍ଡ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗିନିଜ ୱାର୍ଲଡ ରେକର୍ଡ ଏବଂ ଲିମ୍କା ବୁକ ଅଫ ରେକର୍ଡ ପାଇଁ ସେ ଅଫିସିଆଲ ଆବେଦନ କରିଥିବା ସୂଚନା ମିଳିଛି। ସ୍ୱର୍ଗତ ଯାଦୁଗର ଓ.ପି. ଶର୍ମା ସ୍ମୃତି ସମ୍ମାନ ସମାରୋହ ସମିତି ଆଗ୍ରା ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଯାଦୁ ଦ୍ବାରା ଜଳ ଏବଂ ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି ସହିତ ବିଶ୍ଵ ରେକର୍ଡ କରିବା ପାଇଁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ୧୨୫ ଜଣ ଯାଦୁଗର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ପଧାନଙ୍କୁ ଓ.ପି. ଶର୍ମା ସ୍ମୃତି ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀ ପଧାନ ନିଜର ଯାଦୁ କଳାକୁ କେବଳ ମନୋରଞ୍ଜନରେ ସୀମିତ ନ ରଖି ସାମାଜିକ କୁସଂସ୍କାର, ଅନ୍ଧବିଶ୍ୱାସ ଦୂର କରିବା ଏବଂ ଶିକ୍ଷାର ପ୍ରସାର ପାଇଁ ବ୍ୟବହାର କରନ୍ତି । ସେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଦୋଦରସ୍ଥିତ ମା’ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇଟି ଅଧ୍ୟାପକ ତଥା ଯୁବ ରେଡକ୍ରସ କାଉନସେଲରଭାବେ କାର୍ଯ୍ୟରତ ଅଛନ୍ତି।ସୂଚନା ଥାଉ କି ଉଦ୍ଧବ ରାଜ୍ୟପାଳ ପୁରସ୍କାର,ଶ୍ରେଷ୍ଠ ନାଗରିକ ପୁରସ୍କାର,ସବୁଜ ଯୋଦ୍ଧା ସେନାପତି ସମ୍ମାନ, ଶ୍ରୀକ୍ଷେତ୍ର କଳା ରତ୍ନ ସମ୍ମାନ,ଜାତୀୟ ସ୍ତରୀୟ ବିଲ୍ଡ ଭାରତ ଲିଡରସିର୍ପ ଆୱାର୍ଡ ସମେତ ବିଭିନ୍ନ ମଞ୍ଚ ରେ ଅନେକ ପ୍ରଶଂସାପତ୍ର ଓ ସମ୍ମାନ ଲାଭ କରିଛନ୍ତି lତାଙ୍କର ଏହି ସଫଳତା ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବର ବିଷୟ ହୋଇଛି। ଏହା ଅଞ୍ଚଳର ଯୁବପୀଢ଼ିଙ୍କୁ ନୂତନ ପ୍ରେରଣା ଦେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

