ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ; ୨୧ ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୋଖରୀରେ ହେବ ଚାପ ଖେଳ
ପୁରୀ: ଆଜି ପବିତ୍ର ପର୍ବ ଅକ୍ଷୟ ତୃତୀୟା | ଆଉ ଆଜିଠୁ ହିଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମହୋତ୍ସବର ଆରମ୍ଭ | ଆଜିଠୁ ୨୧ ଦିନ ଧରି ଚାଲିବ ଏହି ଚନ୍ଦନ ଯାତ୍ରା ପର୍ବ । ନରେନ୍ଦ୍ର ପୋଖରୀକୁ ଆସି ଠାକୁରମାନେ ଖେଳିବେ ଚାପ । ଦେବତାମାନଙ୍କୁ ପୁରୀ ମନ୍ଦିରରୁ ନରେନ୍ଦ୍ର ପୋଖରୀକୁ ନେଇ ଏକ ସୁସଜ୍ଜିତ ପାତ୍ରରେ ପବିତ୍ର ଡଙ୍ଗା ଯାତ୍ରା ପାଇଁ ନିଆଯାଇଥାଏ | ଗ୍ରୀଷ୍ମକାଳୀନ ଅବସରରେ ଶୀତଳ ମଣୋହୀ ହେବେ ମହାପ୍ରଭୁ କାଳିଆ ସାଆନ୍ତ | ଆଜିଠୁ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ ।
ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଉତ୍ସବ ଅବସରରେ ସାରା ଶ୍ରୀକ୍ଷେତ୍ରରେ ଆଜି ଖୁସିର ଲହରୀ | ଚାପ ଖେଳ ଦେଖିବାକୁ ଭକ୍ତଙ୍କଙ୍କ ପ୍ରବଳ ସୁଅ ଛୁଟୁଛି | ପ୍ରବଳ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ନରେନ୍ଦ୍ର ପୋଖରୀର ଚାରିପଟେ ସୁରକ୍ଷା ବ୍ୟସ୍ଥା କଡ଼ାକଡ଼ି ସହ ଉତ୍ତମ ପରିମଳ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେପଟେ, ଚାପ ଉଦ୍ଦେଶ୍ୟରେ ନନ୍ଦା, ଭଦ୍ରା ଓ ବଜନ୍ତରୀ ନାବ ସୁସଜ୍ଜିତ ହୋଇ ପ୍ରସ୍ତୁତ ହୋଇ ରହିଛନ୍ତି । ମଧ୍ୟାହ୍ନ ଧୂପ ପରେ ପୂଜାପଣ୍ଡାଙ୍କ ଠାରୁ ଆଜ୍ଞାମାଳ ମିଳିବା ପରେ ଝୁଲଣ ମଣ୍ଡପ ତଳେ ରହିଥିବା ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମାହନଙ୍କୁ ବିଜେ କରାଯିବ । ବିଜେ କାହାଳୀ ବାଜିଲା ପରେ ବିମାନବଡୁମାନେ ଘଣ୍ଟ ଛତା ଓ କାହାଳୀ ସହ ପାଲିଙ୍କି ଓ ମଣିବିମାନକୁ ନେଇ ନରେନ୍ଦ୍ର ଚକଡ଼ାକୁ ଯାତ୍ରା କରିବେ । ଏହାପରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ରଥ ଅନୁକୂଳ ନୀତି ସକାଶେ ଠାକୁରମାନେ କିଛି ସମୟ ଅଟକିବାର ରହିଛି । ଏହି ଠାକୁର ଓ ଠାକୁରାଣୀଙ୍କ ସହ ପଞ୍ଚ ମହାଦେବ (ଯମେଶ୍ୱର, ମାର୍କଣ୍ଡେୟ, ଲୋକନାଥ, କପାଳମୋଚନ) ଙ୍କ ବିଜେ ପ୍ରତିମାମାନେ ସ୍ୱ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ଚାପ ଖେଳିବାକୁ ବିଜେ କରିବେ । ବିଜେ ପ୍ରତିମାମାନଙ୍କ ବିଜେ ଅପେକ୍ଷାରେ ଚନ୍ଦନ ମଣ୍ଡପ ଓ ନାବମାନ ସୁସଜ୍ଜିତ ହୋଇ ଅପେକ୍ଷା କରି ରହିଛନ୍ତି ।
ଦିଅଁମାନେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିଲା ପରେ, ପଞ୍ଚ ଦିଅଁଙ୍କର କର୍ପୂର ଜଳରେ ମଣୋହି କରାଯିବ । ରାମକୃଷ୍ଣଙ୍କୁ ବଡ଼ ଚାପରେ ନିଜର ମଣ୍ଡିତ ଆସନକୁ ଓ ପଞ୍ଚପାଣ୍ଡବ ପଞ୍ଚ ସିଂହାସନକୁ ବିଜେ କରିବେ । ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ପଛରେ ଥିବା ଚାପ ବା ନୌକାରେ ବିଜେ କରିବେ । ଚାପ ଉପରେ ପ୍ରସାଦ ଲାଗି ଓ ବିଡିଆ ଲାଗି ମଣୋହି ପରେ ଦିନ ଚାପ ଆରମ୍ଭ ହେବ । ଠାକୁର ଠାକୁରାଣୀମାନେ ସୁସଜ୍ଜିତ ନୌକାରେ ବସି ପୁଷ୍କରିଣୀ ଚାରିପଟେ ଏକ ଘେରା ବୁଲିବେ । ଏକଘେରା ବୁଲି କୂଳରେ ଲାଗିବା ପରେ ଦୁଇ ଚାପ ଏକତ୍ର କରାଯାଇ ରାମକୃଷ୍ଣଙ୍କୁ ମଦନମୋହନଙ୍କ ଚାପକୁ ବିଜେ କରାଯିବ । ତା’ପରେ ବନ୍ଦାପନା, ଆଲଟ, ଚାମର ନୀତି ସମ୍ପାଦିତ ହେବ । ପରେ ଦେବବିଗ୍ରହମାନଙ୍କୁ ଚନ୍ଦନ ମଣ୍ଡପର ଜଗତି ଉପରକୁ ନିଆଯାଇ ଚନ୍ଦନ କୁଣ୍ଡରେ ବିଜେ କରାଯିବ ।
ରୀତି ଅନୁସାରେ ପୁଷ୍ପ ଓ ଚନ୍ଦନ ଓ କର୍ପୁର ଆଦିରେ ପରିପୂର୍ଣ୍ଣ ସୁବାସିତ ଜଳରେ ତିନିଟି କୁଣ୍ଡ ଭର୍ତ୍ତି ହୋଇ ରହିଥିବ । ଶ୍ରୀଦେବୀ, ଭୂଦେବୀ ଓ ମଦନମାହନ ମଧ୍ୟ ଭାଗରେ, ରାମକୃଷ୍ଣ ପୂର୍ବ ଭାଗରେ ଓ ପଞ୍ଚ ପାଣ୍ଡବ ପଶ୍ଚିମ ଭାଗ ପଶ୍ଚିମ ଭାଗରେ ଥିବା କୁଣ୍ଡମାନଙ୍କରେ ବିଜେ କରିବେ । ଜଳ ଲାଗି ପରେ ଜଳରୁ ବାହାରି ଦିଅଁମାନେ ପୁଷ୍ପାଦିରେ ସଜ୍ଜିତ ହେବେ ଓ ଶୀତଳ ମଣୋହି କରିବେ । ପରେ ବିଗ୍ରହମାନଙ୍କୁ ଭିତରକୁ ନିଆଯାଇ ନରେନ୍ଦ୍ର ଚକଡ଼ା ରୋଷରେ ପ୍ରସ୍ତୁତ ମାଣ୍ଡୁଅ ଭୋଗ ଓ ବିଡ଼ିଆ ମଣୋହି କରାଯିବ । ଏହାପରେ ଠାକୁର ଓ ଠାକୁରାଣୀ ମାନେ ରାତ୍ରଚାପ ପାଇଁ ବିଜେ କରିବେ । ରାତ୍ର ଚାପରେ ନୌକାରେ ବସି ପୁଷ୍କରିଣୀରେ ତିନିଘେରା ବୁଲିବେ । ଚାପ ଖେଳ ସମ୍ପନ୍ନ ହେବା ପରେ ବିଗ୍ରହମାନେ ନିଜ ନିଜ ବିମାନ ଓ ପାଲିଙ୍କିରେ ବାହୁଡ଼ା ବିଜେ କରିବେ ।
ଶ୍ରୀମନ୍ଦିର ଠାକୁରମାନେ ବଟମୂଳେ ପହଞ୍ଚିବା ପରେ ଜଳଲାଗି ନୀତି ହେବ । ପରେ ଦକ୍ଷିଣ ଘରେ ପଞ୍ଚଦିଅଁ ଶେଯ ଉପରେ ବିଜେ କରିବେ । ଶ୍ରୀଦେବୀ ଓ ଭୂଦେବୀ ଭିତର ସିଂହାସନରେ ଏବଂ ରାମକୃଷ୍ଣ ଓ ମଦନମାହନ ଦକ୍ଷିଣ ଘରେ ଅବସ୍ଥାନ କରିବେ । ଶ୍ରୀମନ୍ଦିରରୁ ବିଜେ ପ୍ରତିମା ମାନଙ୍କର ବାହାର ବିଜେ ସମୟରେ ଶ୍ରୀମନ୍ଦିରରେ ସଂଧ୍ୟାଧୂପ ସମାପନ ପରେ ଜୟବିଜୟ ଦ୍ୱାର ବନ୍ଦ ରହିବ । ଜଗମୋହନ ଅନ୍ଧକାର କରାଯିବ । ଭିତରେ ଶ୍ରୀଜିଉଙ୍କ ମଇଲମ, ଆଲଟ ଲାଗି, ତ୍ରିମୁଣ୍ଡିରେ ସୁବାସ ଫୁଲ ଓ କର୍ପୂର ଲାଗି ହେବ।
ଅକ୍ଷୟ ତୃତୀୟ ଦିନ ଭୋର୍ ୪ଟାରେ ମଙ୍ଗଳ ଆଳତୀ, ୫ଟା ୩୦ରେ ଅବକାଶ, ୭ଟାରେ ଗୋପାଳ ବଲ୍ଲଭ ନୀତି ବଢ଼ି । ସକାଳ ୭ଟା ୩୦ରୁ ୯ଟା ମଧ୍ୟରେ ସରିବ ସକାଳ ଧୂପ । ଦିନ ୧ଟା ୧୦ରୁ ୪ଟା ୩୦ ମଧ୍ୟରେ ଉଠିବ ଭୋଗମଣ୍ଡପ । ଦିନ ୩ଟାରେ ଦ୍ୱାଦଶ ଯାତ୍ରା ଆରମ୍ଭ ହୋଇ ଦିନ ୩ଟା ୩୦ରେ ଚନ୍ଦନ ଯାତ୍ରା ପାଇଁ ବିମାନକୁ ଚଳନ୍ତି ପ୍ରତିମାମାନେ ବିଜେ କରିବେ । ରଥ ନିର୍ମାଣ ନିମନ୍ତେ ଆଜ୍ଞାମାଳ ବିଜେ ଦିନ ୪ଟାରେ ହେବ । ରାତ୍ର ସାଢ଼େ ୧୨ ସୁଦ୍ଧା ହେବ ମହାପ୍ରଭୁଙ୍କ ପହୁଡ଼ ନୀତି କରିବା ନିମନ୍ତେ ପ୍ରଶାସନ ନୀତି ନିର୍ଘଣ୍ଟ କରିଛି ।

