ଭାରସାମ୍ୟ ହରାଇ ବସ୍ ଭିତରକୁ ପସିଗଲା ବାଇକ୍ ; ବାଇକ୍ ଚାଳକ ମୃତ ।
ବଲାଙ୍ଗୀର ୨୨।୦୪ : ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା । ସହରରେ ଥିବା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ହୋଇଛି ଏହି ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବାଇକ୍ ବସ୍ ତଳକୁ ପଶିଯାଇଛି । ଯାହାଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି ।
ଖବର ଅନୁଯାୟୀ, ଡୁମେର ପଦର ଗାଁର ପ୍ରଶାନ୍ତ ମହାକୁର ନିଜର ଜଣେ ବନ୍ଧୁଙ୍କ ବରଯାତ୍ରୀ ସାରି ରାତିରେ ବାଇକ୍ରେ ଖୁବ୍ ଦ୍ରୁତ ଗତିରେ ଆସୁଥିଲେ । ଏହି ସମୟରେ ବଲାଙ୍ଗୀର ସହର ଭିତରେ ଥିବା ପାଟଣେଶ୍ୱରୀ ମନ୍ଦିର ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ବେସରକାରୀ ବସ୍ ତଳକୁ ପଶିଯାଇଥିଲା । ଘଟଣା ପରେ ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ପ୍ରଶାନ୍ତକୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭୀମଭୋଇ ମେଡିକାଲକୁ ପଠାଇଥିଲା ।
ପ୍ରକାଶ ଥାଉକି ଏହି ଘଟଣାରେ ମୃତକ ପ୍ରଶାନ୍ତ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ ।

