ଗୁଜା ଗ୍ରାମରୁ ବିପୁଳ ପରିମାଣର ଗଞ୍ଜେଇ ଓ ଦେଶୀ ମଦ ଜବତ ଏବଂ ତିନି ବାପ ପୁଅ ଗିରଫ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଗୁଜା ଗ୍ରାମରେ ପୁଲିସ ଚଢଉ କରି ବିପୁଳ ପରିମାଣର ଗଞ୍ଜେଇ ଏବଂ ଦେଶୀ ରନ୍ଧା ମଦ ଜବତ କରିଥିବା ବେଳେ ୨ ଟି ମାମଲା ରୁଜୁ କରାଯାଇଛି । ଗଞ୍ଜେଇ ଜବତ ଘଟଣାରେ ୨ ଜଣ ଏବଂ ଦେଶୀ ରନ୍ଧା ମଦ ଜବତ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ନିର୍ଦ୍ଦେଶରେ ଉଲୁଣ୍ଡା ଥାନା ଅଧିକାରୀ ସୁଶାନ୍ତ ପଧାନଙ୍କ ନେତୃତ୍ୱରେ ସଦଳବଳେ ଗତକାଲି ରାତି ପ୍ରାୟ ୨ ଟାରେ ଗୁଜା ଗ୍ରାମରେ ଚଢଉ କରିଥିଲେ । ଏକ ଘର ଭିତରୁ ଗଞ୍ଜେଇ ଭର୍ତି ହୋଇଥିବା ୭ ଟି ବଡ ବ୍ୟାଗ ମିଳିଥିଲା । ସେଥି ମଧ୍ୟରୁ ୧୬୦ ଟି ଛୋଟ ପ୍ୟାକେଟ ଜବତ କରାଯାଇଥିଲା । ପରେ ଏନଡିପିଏସ ଆଇନର ପ୍ରଚଳିତ ନିୟମ ଅନୁସରଣ କରି ସାକ୍ଷୀ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ୧ କ୍ୱିଂଟାଲ ୫୮ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ଜାହାର ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ୮୫ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ଉକ୍ତ ଗଞ୍ଜେଇ କାରବାର ଘଟଣାରେ ଗୁଜା ଗ୍ରାମର ଶଙ୍କର କର୍ଣ୍ଣଙ୍କ ୨ ପୁଅ ଭରଦ୍ୱାଜ କର୍ଣ୍ଣ (୩୬) ଏବଂ ଗୋପବନ୍ଧୁ କର୍ଣ୍ଣ (୩୪)ଙ୍କୁ ଗିରଫ କରାଯାଇଛି । ଗଞ୍ଜେଇର ଉତ୍ସ ଏବଂ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଦନ୍ତ ଜାରି ରହିଛି । ସେହିପରି ନିକଟରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ ଚାଲିଥିବା ବେଳେ ଅବକାରୀ ବିଭାଗର ସହାୟତାରେ ପୁଲିସ ଚଢଉ କରିଥିଲା । ସେଠାରୁ ୨୦୦ ଲିଟର ଦେଶୀ ରନ୍ଧା ମଦ ଏବଂ ମଦ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଜବତ ହୋଇଛି ଏବଂ ୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି । ବେଆଇନ ଦେଶୀ ରନ୍ଧା ମଦ ଜବତ ଘଟଣାରେ ସ୍ୱର୍ଗତ ହାଡୁ କର୍ଣ୍ଣଙ୍କ ପୁଅ ଶଙ୍କର କର୍ଣ୍ଣ ଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ସୁବର୍ଣ୍ଣପୁର ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଏନେଇ ସୂଚନା ଦେଇଛନ୍ତି ।

