ଖଣ୍ଡହତା ରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ଲୋକେ ହନ୍ତସନ୍ତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରେ ଦେଖା ଦେଇଛି ପାନୀୟ ଜଳ ସଙ୍କଟ। ପ୍ରାୟ ତିନି ମାସ ହେଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ପାଣି ପାଇଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ତେଣୁ ତୁରନ୍ତ ଉକ୍ତ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି। ବୀରମହାରାଜପୁର ବ୍ଲକ ର ଉପାନ୍ତ ଅଂଚଳରେ ଥିବା ଖଣ୍ଡହତା ଏକ ବଡ ଗ୍ରାମ ଅଟେ। ପ୍ରାୟ ଚାରୋଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମ ହୋଇଥିଲେ ମଧ୍ୟ ଗ୍ରାମର ଲୋକସଂଖ୍ୟା ପ୍ରାୟ ତିନି ହଜାର ହେବ। ସମ୍ପ୍ରତି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ଯୋଗୁଁ ପୋଖରୀ, ନଈ ନାଳ ଆଦି ଜଳାଶୟ ଶୁଖିଲା ପଡ଼ିଛି। ଅପର ପକ୍ଷରେ ଜଳସ୍ତର ନିମ୍ନଗାମୀ ଯୋଗୁଁ ଗ୍ରାମର କୂପ, ନଳକୂପ ମଧ୍ୟ ଶୁଖିଲା ପଡ଼ିଛି। କେତେକ ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନାହିଁ। ଆଉ ଯେଉଁ କେତୋଟି ନଳ କୂପରୁ ପାଣି ବାହାରୁଛି ତାହା ସେଥରୁ ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ ତାହା ବ୍ୟବହାର ହୋଇ ପାରୁ ନାହିଁ। ଏଭଳି ପରିସ୍ଥିତି ରେ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଲୋକେ ପାନୀୟ ଜଳ ଠୁ ଆରମ୍ଭ କରି ସ୍ନାନ ଶୌଚ,ରୋଷେଇବାସ ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଗାଈ ଗୋରୁ ମଧ୍ୟ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗ୍ରାମରେ ଭୂତଳ ଜଳ ନିମ୍ନଗାମୀ ଯୋଗୁଁ ଗ୍ରାମରେ ଥିବା ପ୍ରକଳ୍ପ କୁ ପ୍ରାୟ ୪ କିମି ଦୂର ରେ ଥିବା ବଡ଼କିରାସିରା ନିକଟସ୍ଥ ସୁରୁବାଲି ଯୋର ରୁ ପାଣି ଆସୁଛି। ତେବେ ଦୀର୍ଘ ତିନି ମାସ ହେଲା ପ୍ରକଳ୍ପ ଅଚଳ ହୋଇ ଜଳ ଯୋଗାଣ ରେ ବ୍ୟାଘାତ ହେଉଥିଲେ ମଧ୍ୟ ଏହାକୁ ମରାମତି କରାଯାଉ ନାହିଁ। ପ୍ରକଳ୍ପ ର ପାଇପ ଫାଟି ଯାଇ ଥିବାରୁ ଜଳ ଯୋଗାଣ ହେଉ ନ ଥିବା ଜଣା ପଡ଼ିଛି। ଏନେଇ ଗ୍ରାମବାସୀ ବିଭାଗ କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁ ନାହିଁ। ଏନେଇ ବିଭାଗୀୟ ଯନ୍ତ୍ରୀ ମଞ୍ଜୁଲତା ଗୌଡ଼ ଙ୍କୁ ଯୋଗାଯୋଗ କରିବାରୁ ପ୍ରକଳ୍ପ ଦୁଇ ଦିନ ହେଲା ମରାମତି କରି କାର୍ଯ୍ୟକ୍ଷମ କରିଛୁ ବୋଲି କହିଛନ୍ତି। ମାତ୍ର ପ୍ରକଳ୍ପ ଏବେ କି କାର୍ଯ୍ୟକ୍ଷମ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ତେବେ ବିଭାଗ ତୁରନ୍ତ ଏହାକୁ ମରାମତି କରି ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରି ଜଳ ଯୋଗାଣ କରିବାକୁ ଦାବୀ ହେଉଛି।

