ମୋବାଇଲ ଦୋକାନରୁ କାନ୍ଥ କଣା କରି (ସିନ୍ଧି) ଚୋରି କରିବା ଘଟଣା ସମ୍ପର୍କରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ଦୋଳ ମଣ୍ଡପ ସମ୍ମୁଖ ରେ ଥିବା ଶିବ ମୋବାଇଲ ଦୋକାନରୁ ଗତ ୯ ତାରିଖ (ଶନିବାର) ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା । ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେ.କେ. ହରିପ୍ରସାଦ ଗୁରୁବାର ବୀରମହାରାଜପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି । ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଉତ୍ତରପ୍ରଦେଶର ଓ ଅନ୍ୟ ୨ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଚୋରି ଯାଇଥିବା ୪୭ଟି ମୋବାଇଲ ମଧ୍ୟ ଉଦ୍ଧାର କରିଥିବା ପ୍ରକାଶ । ଏଗୁଡ଼ିକ ମଧ୍ୟରେ ସିଲ୍ ହୋଇଥିବା ୩୨ଟି, ଖୋଲାରେ ଥିବା ୮ଟି ଓ ୪ଟି ଡେମୋ ମୋବାଇଲ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି । ଅଭିଯୁକ୍ତ ଉତ୍ତରପ୍ରଦେଶ ରାଜ୍ୟର ସେକ୍ଟର-୨୦ ଥାନା ଅନ୍ତର୍ଗତ ଗୌତମ ବୁଦ୍ଧ ନଗରର ଆରିଫ୍ ଅନସାରୀ (୨୦) ତଥା ବୀରମହାରାଜପୁର ଥାନା ଅନ୍ତର୍ଗତ ସାଗଜୁରି ଗ୍ରାମର ତଥା ବର୍ତ୍ତମାନ ସ୍ଥାନୀୟ ଚମ୍ପାପୁର ଠାରେ ରହୁଥିବା ପ୍ରୀତମ ଭୋଇ (୧୯) ଓ ଚମ୍ପାପୁର ଗ୍ରାମର ମହେଶ ରାଉତ (୧୯)ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
ପ୍ରକାଶ ଥାଉକି ଦୋକାନର ପଛ ପଟ କାନ୍ଥ କଣା କରି (ସିନ୍ଧି କରି) ଏହି ଚୋରୀ କରାଯାଇଥିଲା । ଚୋରମାନେ ଦୋକାନ ଭିତରକୁ ପ୍ରବେଶ କରି ପ୍ରଥମେ ସିସି ଟିଭିର ସଂଯୋଗ ବିଚ୍ଛିନ୍ନ କରିଥିବା ଓ ଏହି ସମୟରେ ଏକ ଛତା ବ୍ୟବହାର କରିବା ସହ ମୁହଁରେ ମାକ୍ସ ଲଗେଇଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ କେନ୍ଦୁପାଲି ଗ୍ରାମର ଦୋକାନ ମାଲିକ ରାମକୃଷ୍ଣ ମେହେରଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (୧୧୪/୨୬) ରୁଜୁ କରିଥିଲା । ପୋଲିସ ତଦନ୍ତ ପାଇଁ ଫୋରେନସିକ୍ ଟିମର ସହାୟତା ମଧ୍ୟ ନେଇଥିଲା । ଉତ୍ତରପ୍ରଦେଶର ଯୁବକଙ୍କ ସହ ‘ପବଜୀ’ ଖେଳରୁ ଚିହ୍ନା ପରିଚୟ ହୋଇ ସେମାନେ ଏହି ଚୋରୀ କାଣ୍ଡ ଭିଆଇଥିଲେ ଓ ଏଥିପାଇଁ ଘଟଣାର ୨ ଦିନ ଆଗରୁ ଉତ୍ତରପ୍ରଦେଶରୁ ଆରିଫ୍ ଏଠାକୁ ଆସିଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା । ଚୋରି ମୋବାଇଲଗୁଡିକୁ ସେମାନେ ଉତ୍ତରପ୍ରଦେଶକୁ ଚାଲାଣ ପାଇଁ ଉଦ୍ୟମ କରୁଥିବା ବେଳେ ଆଇଆଇସିଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ଏକ ଟିମ୍ ସେମାନଙ୍କୁ କାବୁ କରିନେଇଥିଲା । ଏହି ଘଟଣାରେ ବ୍ୟବହୃତ ଏକ ଛୋଟ ଶାବଳ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି । ସାମ୍ବାଦିକ ସମ୍ମିଳନୀରେ ବୀରମହାରାଜପୁର ଆଇଆଇସି ଯଯାତିକେଶରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

