ପିତା ମହୁଲ ରେ ଦେଶୀ ମଦ ଭାଟି ବନ୍ଦ କରିବା ପାଇଁ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର
ବ୍ଲକ ଅନ୍ତର୍ଗତ ପିତାମହୁଲ ଗ୍ରାମରେ ଅବସ୍ଥିତ ଦେଶୀ ମଦ ଭାଟିକୁ ସ୍ଥାୟୀଭାବେ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଦାବୀ ଉଠାଇଛନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଅବକାରୀ ମନ୍ତ୍ରୀ, ଅବକାରୀ ସଚିବ, ସୁବର୍ଣ୍ଣପୁର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଅବକାରୀ ଅଧିକ୍ଷକ, ବୀରମହାରାଜପୁର ଉପଜିଲ୍ଲାପାଳ ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଡାକ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ, ଦୀର୍ଘ ବର୍ଷ ଧରି ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଏହି ଦେଶୀ ମଦ ଭାଟି ଚାଲୁ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଭାଟିରୁ ମଦ୍ୟପାନ କରି ଅନେକ ସମୟରେ ଗ୍ରାମରେ ଗଣ୍ଡଗୋଳ ଓ ଅଶାନ୍ତି ସୃଷ୍ଟି ହେଉଛି। ଗତ ଏକ ବର୍ଷ ମଧ୍ୟରେ ଗ୍ରାମରେ ଘଟିଥିବା ଚାରିଟି ହତ୍ୟାକାଣ୍ଡ ପଛରେ ମଦ୍ୟପାନ ମୁଖ୍ୟ କାରଣ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହା ସହିତ, ଅପ୍ରାପ୍ତବୟସ୍କ ପିଲାମାନଙ୍କ ମଧ୍ୟରେ ମଦ୍ୟପାନ ପ୍ରବଣତା ବୃଦ୍ଧି ପାଇଥିବାରୁ ପରିବାରିକ ଅଶାନ୍ତି, ଦୁର୍ଘଟଣା ଓ ବେରୋଜଗାରି ସମସ୍ୟା ବଢ଼ୁଛି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ବହୁବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଗ୍ରାମରେ ଅରାଜକତା ଓ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଛି।
ଏହି ପରିପ୍ରେକ୍ଷିତରେ ଗ୍ରାମବାସୀମାନେ ଏକ ସାଧାରଣ ସଭା କରି ଏକମତରେ ମଦ ଭାଟି ବନ୍ଦ କରିବା ନିଷ୍ପତ୍ତି ନେଇଥିଲେ। ପରେ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସହିତ ଦାବିପତ୍ର ପ୍ରେରଣ କରାଯାଇଛି। ଗ୍ରାମର ଶ୍ରୀକାନ୍ତ କର୍ମୀ, ଦୟାଶୀଳ ଭୋଇ, ରଘୁନାଥ ସେଠୀ, ବିରୂପାକ୍ଷ ଗଡୁଆ, ନନ୍ଦନ ବଢିଆ, ସୁଶାନ୍ତ ମାଝୀ, ରାମେଶ୍ୱର ପାତ୍ର, ସମରୁ ମେହେର, କେଶବ ଭୋଇଙ୍କ ସମେତ ଶତାଧିକ ବ୍ୟକ୍ତି ଙ୍କ ଦସ୍ତଖାତ ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଛନ୍ତି।

