ପୁଣି ଏନକାଉଣ୍ଟର, ଦୁର୍ଦ୍ଧାନ୍ତ ଅପରାଧୀ ସହ ୪ ଗିରଫ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ହୋଇଛି ଏନକାଉଣ୍ଟର। ଏଥିରେ ଦୁର୍ଦ୍ଧାନ୍ତ ଅପରାଧୀ ମନୀଷ ସାହୁ ଏହାର ଶିକାର ହୋଇ ଗିରଫ ହୋଇଛନ୍ତି।
ମିଳିଥିବା ସୂଚନା ମତେ ଶନିବାର ମଧ୍ୟରାତ୍ରିରେ, ବୁର୍ଲା ପିଏସ୍ କର୍ମଚାରୀମାନେ ବୁର୍ଲାର ପ୍ଲାନେଟାରିୟମ୍ ଛକ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ। ପ୍ରାୟ ସକାଳ ୫:୦୦ ଟା ସମୟରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାର୍ଶ୍ୱରୁ ଆସୁଥିବା ଏକ ସ୍ୱିଫ୍ଟ କାରକୁ ଅଟକାଇବାକୁ ସଙ୍କେତ ଦିଆଯାଇଥିଲା। କିନ୍ତୁ ଡ୍ରାଇଭର ଡାହାଣ ଡାଇକ୍ ରାସ୍ତା ଆଡ଼କୁ ମୁହାଇଁ ଫେରାର ହେବାକୁ ଚେଷ୍ଟା କରିଥିଲା।ପୋଲିସ ଫିସେରୀ ଛକ ନିକଟରେ ଗାଡିଟିକୁ ପିଛା କରି ଅଟକାଇଥିଲା।ଏହି ସମୟରେ ଜଣେ ଅଭିଯୁକ୍ତ କାରରୁ ଡେଇଁପଡ଼ି ପଳାଇବା ସମୟରେ ପୋଲିସ ଦଳ ଉପରେ ତିନି ରାଉଣ୍ଡ ଗୁଳି ଚଳାଇଥିଲା।ପ୍ରତିବଦଳରେ ପୋଲିସ ନିଜର ଆତ୍ମରକ୍ଷା ଏବଂ ଅଧିକ ଗୁଳିଚାଳନା ରୋକିବା ପାଇଁ, ନିଜ ଆଡୁ ପୋଲିସ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳି ଚାଳନା କରିଥିଲା, ଯେଉଁଥିରେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା।ଆହତ ଅଭିଯୁକ୍ତକୁ କୁଖ୍ୟାତ ଅପରାଧୀ ମନୀଷ ସାହୁ ଭାବରେ ଚିହ୍ନଟ କରାଯାଇଛି।ସେ ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଏବଂ କୋରେକ୍ସ ସମ୍ବନ୍ଧୀୟ ଅପରାଧ ସମେତ ୧୪ ରୁ ଅଧିକ ଅପରାଧିକ ମାମଲାରେ ଜଡିତ ଥିବା ପୋଲିସ କହିଛି ।ମୁଖ୍ୟ ଅପରାଧୀ ସହିତ ତା ସହ ଥିବା ଅନ୍ୟ ତିନି ଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ପୋଲିସ ଗୋଟିଏ ପିସ୍ତଲ ସହିତ ଗୋଟିଏ ଜୀବନ୍ତ ଗୁଳି, ୩ଟି ଖାଲି କାର୍ଟ୍ରିଜ୍, ଗୋଟିଏ ସ୍ୱିଫ୍ଟ କାର(ଓଡି ୧୫ଏସି ୩୦୧୫), ୫ଟି ମୋବାଇଲ୍ ଫୋନ୍ ଏବଂ ୧୦ କାର୍ଟୁନ୍ କୋରେକ୍ସ ଜବତ କରିଛି। ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲାର ଭୀମସାର କୁ ସ୍ଥାନାନ୍ତର କରାଯାଇଛି। ଏନଡିପିଏସ ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ତଦନ୍ତ ଜାରି ରଖିଥିବା ପୋଲିସ କହିଛି।

