Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଳପୁର ରେ ପାନୀୟଜଳ ସଙ୍କଟ ଯୋଗୁଁ ଲୋକେ ହନ୍ତସନ୍ତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ବିକଳପୁର ଗ୍ରାମରେ ପ୍ରାୟ ୧୦ ବର୍ଷ ହେଲା ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ଗ୍ରାମରେ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ପାଣି ଅଭାବରେ ଗ୍ରାମବାସୀଙ୍କ ସହ ଗୃହପାଳିତ ପଶୁମାନେ ମଧ୍ୟ ହଇରାଣ ହେଉଛନ୍ତି।
ଗ୍ରାମରେ ପ୍ରାୟ ୧୫୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି। ବହୁ ଅଭିଯୋଗ ପରେ ପ୍ରାୟ ୧୦ ବର୍ଷ ପୂର୍ବେ ଗ୍ରାମରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ବୋରୱେଲ ଖନନ, ଓଭରହେଡ ଟାଙ୍କି ନିର୍ମାଣ, ପାଇପ ଲାଇନ ବିଛାଇବା ସହ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ସ୍ଥାପନ କରାଯାଇଥିଲା। ପ୍ରକଳ୍ପକୁ ବିଦ୍ୟୁତ ଓ ସୋଲାର ସଂଯୋଗ ମଧ୍ୟ ଦିଆଯାଇଥିଲା। ମାତ୍ର ବୋରୱେଲରୁ ପର୍ଯ୍ୟାପ୍ତ ପାଣି ନ ବାହାରିବାରୁ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରିନଥିଲା।
ଦୀର୍ଘଦିନ ଧରି ପ୍ରକଳ୍ପ ଅଚଳ ରହିବାରୁ ସେଠାରୁ ବିଦ୍ୟୁତ ସରଞ୍ଜାମ ଓ ସୋଲାର ପ୍ଲେଟ ଚୋରି ହୋଇଯାଇଥିବା ଜଣାପଡ଼ିଛି। ପରେ ପୁଣି ଗ୍ରାମର ଅନ୍ୟ ଏକ ସ୍ଥାନରେ ଦ୍ୱିତୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ସେଠାରେ ବିଦ୍ୟୁତ ଖମ୍ବ ଲଗାଯାଇଥିଲେ ମଧ୍ୟ ଟ୍ରାନ୍ସଫର୍ମର ସ୍ଥାପନ ହୋଇନଥିବାରୁ ପ୍ରକଳ୍ପଟି ମଧ୍ୟ ଅଚଳ ଅବସ୍ଥାରେ ପଡ଼ିରହିଛି। ଏବେ କେତେକ ବିଦ୍ୟୁତ ଖମ୍ବ ଭାଙ୍ଗିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।
ଅନ୍ୟପଟେ ଗ୍ରାମର ପୋଖରୀ ଓ ଜଳାଶୟଗୁଡ଼ିକ ଶୁଖିଯାଇଥିବା ବେଳେ ଅନେକ ନଳକୂପ ଅଚଳ ହୋଇପଡ଼ିଛି। କେତେକ ନଳକୂପରୁ ଆବଶ୍ୟକ ଅନୁଯାୟୀ ପାଣି ବାହାରୁନଥିବା ବେଳେ ଆଉ କେତେକର ପାଣି ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ଚରମ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି।
ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି। ଏନେଇ ବୀରମହାରାଜପୁର ଆରଡବ୍ଲୁଏସଏସ ଯନ୍ତ୍ରୀ ମଞ୍ଜୁଲାତା ଗୌଡ଼ଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରି କାର୍ଯ୍ୟକ୍ଷମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ