ଚନ୍ଦ୍ରିକାଙ୍କ ଶେଷ କଲ୍ରେ କଣ ଥିଲା ରହସ୍ୟ? OAS ପ୍ରେମିକଙ୍କ ନୂଆ ପ୍ରେମିକା ଏବେ ତଦନ୍ତ ପରିସରରେ
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାର ତଦନ୍ତରେ ନୂଆ ମୋଡ଼ ସାମ୍ନାକୁ ଆସିଛି। ପୁଲିସ ହାତକୁ ଲାଗିଥିବା କଲ୍ ରେକର୍ଡ ଅନୁସାରେ, ଚନ୍ଦ୍ରିକାଙ୍କ ସହ ଶେଷ ଥର କଥା ହେବା ପରେ ତାଙ୍କ ଓଏଏସ୍ ପ୍ରେମିକ ଭୁବନେଶ୍ୱରରେ ରହୁଥିବା ଜଣେ ଯୁବତୀଙ୍କୁ ଫୋନ୍ କରିଥିଲେ। ରାତି ୯ଟାରୁ ୧୦ଟା ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ପ୍ରାୟ ୫ ମିନିଟ୍ ଚାଲିଥିବା ଜଣାପଡ଼ିଛି। ଏହାକୁ ନେଇ ତଦନ୍ତକାରୀ ଦଳ ସନ୍ଦେହ କରୁଛି ଯେ, ଚନ୍ଦ୍ରିକା ଶେଷ କଲ୍ରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହିଥାଇପାରନ୍ତି, ଯାହାକୁ ନେଇ ଓଏଏସ୍ ଅଧିକାରୀ ପରେ ଉକ୍ତ ଯୁବତୀଙ୍କ ସହ ଆଲୋଚନା କରିଥିଲେ।
ଏହି ସନ୍ଦେହକୁ ଆଧାର କରି ବାରଙ୍ଗ ଥାନା ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚରା କରିଛି। ଯୁବତୀ ନିଜେ ଓ ଓଏଏସ୍ ଅଧିକାରୀ କେବଳ ସାଙ୍ଗ ବୋଲି କହିଥିବା ବେଳେ, ଫୋନ୍ କଲ୍ ରେକର୍ଡ ଅନ୍ୟ କିଛି ସଙ୍କେତ ଦେଉଥିବା ପୁଲିସ ଅନୁମାନ କରୁଛି। ଅନ୍ୟପଟେ, ଘଟଣା ପରଠାରୁ ଫେରାର ଥିବା ଓଏଏସ୍ ପ୍ରଶିକ୍ଷୁ ଅଧିକାରୀଙ୍କ ଖୋଜଖବର ପାଇଁ ପୁଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିଛି। ତାଙ୍କ ବାପା, ଯିଏକି ଜଣେ ପୁଲିସ କନଷ୍ଟେବଲ୍, ପୁଅ ସହ କୌଣସି ସମ୍ପର୍କ ସ୍ଥାପନ କରିପାରୁନଥିବା ପୁଲିସକୁ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ୪ ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ପରେ ପରିବାର ଲୋକେ ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକ ଓ ତାଙ୍କର ଜଣେ ମହିଳା ସାଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୁଲିସ ଏକାଧିକ ଟିମ୍ ଗଠନ କରି ତଦନ୍ତକୁ ଜୋରଦାର କରିଛି।

