ଜଳତଟ ବିକାଶ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି, ୫ ବର୍ଷରେ ଖର୍ଚ୍ଚ ହେବ ୫୦୦ କୋଟି
ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ଦେଇ ପ୍ରବାହିତ ନଦୀ ଓ ସହର ଭିତରେ ଥିବା ଜଳଭଣ୍ଡାରଗୁଡ଼ିକର ସୌନ୍ଦର୍ଯ୍ୟକରଣ ଓ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ‘ଜଳତଟ ବିକାଶ ଯୋଜନା’ ଆରମ୍ଭ କରିବେ। ଏହି ଯୋଜନା ଅଧୀନରେ ନଦୀତଟ ଓ ପୁଷ୍କରିଣୀଗୁଡ଼ିକୁ ପୁନର୍ଜୀବିତ କରାଯିବା ସହ ସାଧାରଣ ଲୋକଙ୍କ ପାଇଁ ଆକର୍ଷଣୀୟ ଓ ସୁଗମ ପରିବେଶ ସୃଷ୍ଟି କରାଯିବ। ଏଥିପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କା ବ୍ୟୟ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି। ଯୋଜନା ଅନୁଯାୟୀ ସହରବାସୀଙ୍କ ପାଇଁ ନଦୀକୂଳ ଓ ଜଳାଶୟ ଅଞ୍ଚଳକୁ ବିନୋଦନ, ପଦଯାତ୍ରା ଏବଂ ସାମାଜିକ କାର୍ଯ୍ୟକଳାପର ଉପଯୋଗୀ ସ୍ଥାନ ଭାବେ ବିକଶିତ କରାଯିବ। କେଉଁ ସହରରେ କେଉଁ ନଦୀ କିମ୍ବା ଜଳଭଣ୍ଡାରର ଉନ୍ନତୀକରଣ ହେବ, ତାହା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଧାରଣ କରିବ।
କ୍ୟାବିନେଟ୍ ବୈଠକରେ ମୋଟ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୪ଟି, ଶିଳ୍ପ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୨ଟି, ରାଜସ୍ୱ ବିଭାଗର ଗୋଟିଏ ଏବଂ ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବ ସାମିଲ ରହିଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସହରାଞ୍ଚଳର ପରିବେଶ ସୁରକ୍ଷା ଓ ନାଗରିକ ସୁବିଧା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

