ସୁଜାତା ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚା ମଧ୍ୟରେ ଭୂପିନ୍ଦରଙ୍କ ବଡ଼ ବୟାନ, କହିଲେ- ‘ଦଳର ନିଷ୍ପତ୍ତି ସମସ୍ତଙ୍କୁ ମାନିବାକୁ ପଡ଼ିବ’
ଭୁବନେଶ୍ୱର: ସୁଜାତା ଆର୍. ପାଣ୍ଡିଆନଙ୍କ ବିଜୁ ଜନତା ଦଳ (ବିଜେଡି)ରେ ସମ୍ଭାବ୍ୟ ଯୋଗଦାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ସେ ପରୋକ୍ଷ ଭାବେ ଦଳର ପୂର୍ବ ନିର୍ବାଚନୀ ପରାଜୟ ଓ ସଂଗଠନୀୟ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇବା ସହ ସୁଜାତାଙ୍କ ଏଣ୍ଟ୍ରିକୁ ନେଇ ଦଳୀୟ କର୍ମୀଙ୍କ ମନୋଭାବ ଉପରେ ଗୁରୁତ୍ୱ ଦେଇଛନ୍ତି।
ଭୂପିନ୍ଦର ସିଂ କହିଛନ୍ତି ଯେ, ଗତ ନିର୍ବାଚନ ସମୟରେ ‘ଓଡ଼ିଆ-ଅଣଓଡ଼ିଆ’ ପ୍ରସଙ୍ଗକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା ଏବଂ ଏହା ଦଳର କ୍ଷତିର ଅନ୍ୟତମ କାରଣ ହୋଇଥିଲା। ତଥାପି ଏହି ବିଷୟରେ ଦଳ ଭିତରେ ଗଭୀର ସମୀକ୍ଷା ହୋଇନଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ପ୍ରଚାରର ଦାୟିତ୍ୱରେ ଥିବା ବ୍ୟକ୍ତି ନିଜେ ଭୁଲ ସ୍ୱୀକାର କରିବା ସହ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛନ୍ତି।
ସୁଜାତା ପାଣ୍ଡିଆନଙ୍କ ସମ୍ଭାବ୍ୟ ଯୋଗଦାନ ସମ୍ପର୍କରେ ଭୂପିନ୍ଦର ସିଂ କହିଛନ୍ତି ଯେ, ଯଦି ତାଙ୍କ ଆଗମନ ଦଳର କର୍ମୀଙ୍କୁ ଉତ୍ସାହିତ କରିବ ଏବଂ ସଂଗଠନକୁ ସଶକ୍ତ କରିବ, ତେବେ ତାହା ସ୍ୱାଗତଯୋଗ୍ୟ। ସେ ସ୍ପଷ୍ଟ କରିଛନ୍ତି ଯେ, ଦଳ ସଭାପତି ନବୀନ ପଟ୍ଟନାୟକ ଯଦି ସୁଜାତାଙ୍କୁ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଦଳ ତାଙ୍କୁ ଗ୍ରହଣ କରିବ। ଯଦିଓ ଏହି ନିଷ୍ପତ୍ତିକୁ କେତେକ ନେତା କିମ୍ବା କର୍ମୀ ପସନ୍ଦ ନ କରିପାରନ୍ତି, ତଥାପି ଦଳର ନିଷ୍ପତ୍ତିକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୁଜାତାଙ୍କ ବିଜେଡି ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ବୟାନ ଦଳୀୟ ରାଜନୀତିରେ ନୂଆ ଚର୍ଚ୍ଚାର ସୂତ୍ରପାତ କରିଛି।

