ରାସ୍ତା କଡ଼ରେ ଠିଆ ଥିବା ୨ ଡ୍ରାଇଭରଙ୍କୁ ଧକ୍କା ଦେଲା କ୍ୟାଣ୍ଟର, ଘଟଣାସ୍ଥଳରେ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରପଡା ଗ୍ରାମ ନିକଟ ଜାତୀୟ ରାଜପଥ-୨୬ରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଦୁଇ ଜଣ ଡ୍ରାଇଭରଙ୍କୁ ଏକ ଦ୍ରୁତଗାମୀ କ୍ୟାଣ୍ଟର ଧକ୍କା ଦେବାରୁ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଦୁଇ ଡ୍ରାଇଭର ଏକ ଧାନ ମିଲକୁ ଧାନ ପରିବହନ କରି ଆସିଥିଲେ। ବୁଧବାର ଭୋର ପ୍ରାୟ ସାଢ଼େ ୩ଟା ବେଳେ ସେମାନେ ରାସ୍ତା କଡ଼ରେ ଠିଆ ହୋଇଥିବା ସମୟରେ ଭବାନୀପାଟଣାରୁ କେସିଙ୍ଗା ଅଭିମୁଖେ ଯାଉଥିବା ଏକ କ୍ୟାଣ୍ଟର ନିୟନ୍ତ୍ରଣ ହରାଇ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଥିଲା।
ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ଶବଦ୍ୱୟକୁ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଓ କ୍ୟାଣ୍ଟର ଚାଳକଙ୍କ ଭୂମିକା ନେଇ ତଦନ୍ତ ଜାରି ରଖିଛି।

