ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି, ମୁଖ୍ୟ ସଚିବଙ୍କ ସମୀକ୍ଷା ବୈଠକ
ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ଭିଭିଆଇପିଙ୍କ ଗସ୍ତ ସମୟରେ ସୁରକ୍ଷା, ପ୍ରୋଟୋକଲ, କାରକେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନବନ୍ଦର ବ୍ୟବସ୍ଥା ଓ ସମସ୍ତ କାର୍ଯ୍ୟକ୍ରମର ସମନ୍ୱୟ ନେଇ ଆଲୋଚନା ହୋଇଥିଲା।
ଏହା ସହ ଅତିଥିମାନଙ୍କ ରହଣି, ଚିକିତ୍ସା ସେବା, ଅଗ୍ନିଶମ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ସଡ଼କ ମରାମତି, ପରିମଳ ବ୍ୟବସ୍ଥା, ଟେଲିଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ରାଧାକିଶନ ଶର୍ମା ପ୍ରାରମ୍ଭିକ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ସଚିବ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପରସ୍ପର ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜୁନ୍ ୨୦ ତାରିଖରେ ରାଇରଙ୍ଗପୁରର ଦାଣ୍ଡବୋଷଠାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ଉଭୟ ନେତା ରାଇରଙ୍ଗପୁର ନିକଟସ୍ଥ ପାହାଡ଼ପୁର ଗସ୍ତ କରି ସେଠାରେ ଆୟୋଜିତ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।

