ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଅଘଟଣ: ଭୟଙ୍କର ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
କଟକ ଜିଲ୍ଲା ବଡ଼ମ୍ବା ଟି-ସେତୁ ଉପରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ମ୍ବା ବୃନ୍ଦାବନପୁର ଗ୍ରାମର ସୁଶିଲ କୁମାର ଗୋଛି ଓରଫ ହାପି ଗୋଛି। ସୂଚନା ଅନୁଯାୟୀ, ରଜ ଅବସରରେ ସେ ନିଜ ଭଉଣୀ ଘରକୁ ଭାର ନେଇ ବାଇକରେ ଯାଉଥିବା ବେଳେ ଏକ ଅଟୋ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସୁଶିଲଙ୍କ ମୃତ୍ୟୁ ଘଟିଥିଲା।
ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି। ଟି-ସେତୁ ନିକଟରେ ବାଇକ ଓ ଅଟୋ ମଧ୍ୟରେ ସମ୍ମୁଖ ଧକ୍କା ହେବା ପରେ ଘଟଣାସ୍ଥଳରେ ହୃଦୟବିଦାରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିଲା।
ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟି-ସେତୁ ନିକଟରେ ରାସ୍ତାରୋକ କରି ପ୍ରତିବାଦ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବଡ଼ମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

