ଭୁବନେଶ୍ୱରରେ ହେବ ୫୦ ଟନ୍ କ୍ଷମତା ବିଶିଷ୍ଟ କୋଇଲା ପ୍ଲାଣ୍ଟ, ସବୁଜ ବର୍ଜ୍ୟରୁ ପ୍ରସ୍ତୁତ ହେବ ଧୂଆଁବିହୀନ ଚାରକୋଲ
ଭୁବନେଶ୍ୱର: ପାରମ୍ପରିକ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏକ ବଡ଼ ପଦକ୍ଷେପ ନେଇଛି। ସହରରେ ପ୍ରତିଦିନ ସଂଗ୍ରହ ହେଉଥିବା ସବୁଜ ବର୍ଜ୍ୟକୁ ବ୍ୟବହାର କରି ଧୂଆଁବିହୀନ ଚାରକୋଲ ଉତ୍ପାଦନ ପାଇଁ ୫୦ ଟନ୍ ପ୍ରତିଦିନ କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ୱେଷ୍ଟ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି ଚାରକୋଲ କୋଇଲା, ଜାଳେଣି କାଠ ଓ ଏଲ୍ପିଜିର ବିକଳ୍ପ ଭାବେ ଶିଳ୍ପ, ବ୍ୟବସାୟିକ ଏବଂ ଘରୋଇ କ୍ଷେତ୍ରରେ ବ୍ୟବହାର ହୋଇପାରିବ।
ବିଏମ୍ସି ସୂତ୍ର ଅନୁସାରେ, ଭୁଆସୁଣିଠାରେ ପ୍ରସ୍ତାବିତ ୨୦୦ ଟନ୍ କ୍ଷମତା ବିଶିଷ୍ଟ ମେଗା ମ୍ୟୁନିସିପାଲ୍ ସଲିଡ୍ ୱେଷ୍ଟ ପ୍ରୋସେସିଂ ପ୍ରକଳ୍ପର ଏକ ଅଂଶ ଭାବେ ଏହି ଚାରକୋଲ ପ୍ଲାଣ୍ଟ ନିର୍ମାଣ କରାଯିବ। ପ୍ରକଳ୍ପରେ ୧୫୦ ଟନ୍ ଘନ ବର୍ଜ୍ୟକୁ ବିଭିନ୍ନ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରାଯିବା ସହ ଅତିରିକ୍ତ ୫୦ ଟନ୍ ସବୁଜ ବର୍ଜ୍ୟରୁ ଚାରକୋଲ ତିଆରି କରାଯିବ। ଏହାଛଡ଼ା ପାଲାସୁଣିରେ ୨୫ ଟନ୍ କ୍ଷମତା ବିଶିଷ୍ଟ ବାୟୋମାସ୍ ବ୍ରିକେଟ୍ ପ୍ଲାଣ୍ଟ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ।
ବିଏମ୍ସିର ଉପ କମିଶନର ଏନ୍. ଗଣେଶ ବାବୁ କହିଛନ୍ତି ଯେ, ନିୟନ୍ତ୍ରିତ କାର୍ବୋନାଇଜେସନ୍ ପ୍ରକ୍ରିୟା ମାଧ୍ୟମରେ ବାୟୋମାସ୍ ବର୍ଜ୍ୟକୁ ତାପୀୟ ଭାବେ ବିଘଟିତ କରି ଚାରକୋଲ, ସିନ୍ଗ୍ୟାସ୍ ଓ ବାୟୋ-ଅଏଲ୍ ଉତ୍ପାଦନ କରାଯିବ। ଏହି ଧୂଆଁବିହୀନ ଚାରକୋଲ ଉଚ୍ଚ କ୍ୟାଲୋରିଫିକ୍ ମୂଲ୍ୟ ବିଶିଷ୍ଟ ହୋଇଥିବାରୁ ଏହା ପାରମ୍ପରିକ କୋଇଲାର ଏକ ପରିବେଶ ଅନୁକୂଳ ବିକଳ୍ପ ଭାବେ ପ୍ରମାଣିତ ହୋଇପାରିବ। ଜମି ଚୂଡ଼ାନ୍ତ ଓ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

