ଭୁବନେଶ୍ୱରରେ ଏସ୍କର୍ଟ ସର୍ଭିସ ରାକେଟ୍ ଠାବ, ମହିଳାଙ୍କ ସହ ୪ ଗିରଫ
ଭୁବନେଶ୍ୱର: ସୋସିଆଲ ମିଡିଆରେ ନିରୀହ ମହିଳାଙ୍କ ଫଟୋ ବ୍ୟବହାର କରି ଏସ୍କର୍ଟ ସର୍ଭିସ ନାମରେ ଠକେଇ ଚଳାଉଥିବା ଏକ ରାକେଟ୍ର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୁଲିସ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଘଟଣାସ୍ଥଳରୁ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି, ଯେଉଁମାନଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ରହିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ଦଳାଇ, ଚିତ୍ତରଞ୍ଜନ ମହାନ୍ତି, ତୋଫାନ ପ୍ରଧାନ ଏବଂ ମିଞ୍ଜି ଭୋଇ। ସେମାନେ ତମାଣ୍ଡୋ ଅଞ୍ଚଳର ଏକ ଭଡ଼ାଘରରେ ରହି ଏହି ରାକେଟ୍ ଚଳାଉଥିଲେ। କଳିଙ୍ଗ ବିହାରର ଜଣେ ମହିଳା ତାଙ୍କ ଫଟୋକୁ ଅନୁମତି ବିନା ଏସ୍କର୍ଟ ସର୍ଭିସ ପ୍ରଚାରରେ ବ୍ୟବହାର କରାଯାଉଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତମାନେ ନକଲି ସୋସିଆଲ ମିଡିଆ ପ୍ରୋଫାଇଲ୍ ସୃଷ୍ଟି କରି ବିଭିନ୍ନ ମହିଳାଙ୍କ ଫଟୋ ବ୍ୟବହାର କରି ଗ୍ରାହକଙ୍କୁ ଆକର୍ଷିତ କରୁଥିଲେ। ପରେ ଆଗୁଆ ବୁକିଂ ଫି, କ୍ୟାବ୍ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ନାଁରେ UPI ଓ ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ। ହେଲେ ପ୍ରତିଶ୍ରୁତି ଅନୁଯାୟୀ କୌଣସି ସେବା ପ୍ରଦାନ କରୁନଥିଲେ। ପୁଲିସ ସେମାନଙ୍କ ନିକଟରୁ ଏକ କାର୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ ସମେତ ଅନେକ ସାମଗ୍ରୀ ଜବତ କରିଛି।

