Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଲାଚୋର ସନ୍ଦେହରେ ଯୁବତୀଙ୍କୁ ମାଡ଼ ଘଟଣା, ଗିରଫ ଭୟରେ ପୁରୁଷଶୂନ୍ୟ ଇନ୍ତାଲିଗୁଡ଼ା ଗାଁ

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ହିଂସା ମାମଲାର ତଦନ୍ତ ତୀବ୍ର ହେବା ସହ ଗିରଫ ଭୟ ବଢ଼ିଛି। ଘଟଣାରେ ସମ୍ପୃକ୍ତ ଥିବା ଏବଂ ଭିଡିଓ ଭାଇରାଲ କରିଥିବା ଅନେକ ବ୍ୟକ୍ତି ଗାଁ ଛାଡ଼ି ପଳାଇଯାଇଥିବାରୁ ଇନ୍ତାଲିଗୁଡ଼ା ଗାଁ ପ୍ରାୟ ପୁରୁଷଶୂନ୍ୟ ହୋଇପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ଟିମ୍ ଗଠନ କରି ଚଢ଼ାଉ ଜାରି ରଖିଛି। ଏହାକୁ ନେଇ ଇନ୍ତାଲିଗୁଡ଼ା, ସାଇନଗର ଓ ଆଖପାଖ ଅଞ୍ଚଳରେ ଭୟ ଓ ଅନିଶ୍ଚିତତାର ପରିବେଶ ସୃଷ୍ଟି ହୋଇଛି।

ଘଟଣାକୁ ନେଇ ପୁଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ପିଲାଚୋର ସନ୍ଦେହରେ ଜଣେ ଯୁବକ ଓ ଯୁବତୀଙ୍କୁ ଶତାଧିକ ଲୋକ ଘେରି ନିର୍ମମ ଭାବେ ମାଡ଼ ମାରୁଥିବା ସତ୍ତ୍ୱେ ଘଟଣାସ୍ଥଳରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ପୁଲିସ ତୁରନ୍ତ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଭିଡ଼ ଭିତରକୁ ଯାଇନଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ମଧ୍ୟ ଉତ୍ତେଜିତ ଲୋକେ ଭଙ୍ଗାରୁଜା କରିଥିବା ବେଳେ ରାୟଗଡ଼ା ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏପର୍ଯ୍ୟନ୍ତ ପୁଲିସ ୨୦ ଜଣଙ୍କୁ ଗିରଫ କରିଛି।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ଡିଜି ୱାଇ.ବି. ଖୁରାନିଆ ଏହାକୁ ‘ରେଡ୍ ଫ୍ଲାଗ୍’ ମାମଲା ଭାବେ ଚିହ୍ନଟ କରିଛନ୍ତି। କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ତତ୍ତ୍ୱାବଧାନରେ ତଦନ୍ତ ହେବା ସହ ଏଡିଜି ଏସ୍‌. ସାଇନିଙ୍କୁ ମାମଲାର ନିୟମିତ ସମୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଛି। ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ। ସେହିପରି ପୀଡ଼ିତାଙ୍କ ବୟାନ ଭିଡିଓ କନଫରେନ୍ସିଂ କିମ୍ବା ଦିଲ୍ଲୀ ଯାଇ ରେକର୍ଡ କରାଯିବ ବୋଲି ଡିଜି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ