ଜୁନ୍ ୨୯ରୁ ଶିମିଳିପାଳ ବନ୍ଦ, ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ସୂଚନା
ମୟୂରଭଞ୍ଜର ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ ଆସନ୍ତା ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ପାଇଁ ବନ୍ଦ ରହିବ। ବର୍ଷା ଋତୁକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ବନ ବିଭାଗ ଏହି ନିଷ୍ପତ୍ତି ନେଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ଏହି ସୂଚନା ଦେଇଛନ୍ତି।
ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ବର୍ଷା ଦିନରେ ଶିମିଳିପାଳର ଅଧିକାଂଶ ରାସ୍ତା କାଦୁଅ ଓ ନାଲିମାଟିରେ ପିଛିଳ ହୋଇଯାଏ। ଏହାଦ୍ୱାରା ଘାଟି ରାସ୍ତାରେ ଗାଡ଼ି ସ୍ଲିପ୍ କରିବା, ଦୁର୍ଘଟଣା ଘଟିବା ଓ ପ୍ରବଳ ବର୍ଷାରେ ପାହାଡ଼ିଆ ନାଳଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା ରହିଥାଏ। ସେହିପରି ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ପର୍ଯ୍ୟଟକ ଜଙ୍ଗଲ ଭିତରେ ଫସି ରହିବାର ସମ୍ଭାବନା ମଧ୍ୟ ଥାଏ। ବର୍ଷା ଋତୁ ବନ୍ୟଜନ୍ତୁଙ୍କ ପ୍ରଜନନ ସମୟ ହୋଇଥିବାରୁ ଜଙ୍ଗଲ ଭିତରେ ମାନବୀୟ କାର୍ଯ୍ୟକଳାପକୁ ମଧ୍ୟ ସୀମିତ ରଖାଯାଏ।
ତେବେ ଶିମିଳିପାଳର ଭିତର ଅଞ୍ଚଳ ବନ୍ଦ ରହିବା ସତ୍ତ୍ୱେ ପ୍ରକୃତିପ୍ରେମୀଙ୍କ ପାଇଁ ତାଳବନ୍ଧ ଓ ଜାମୁଆଣି ଇକୋ-ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ। ପର୍ଯ୍ୟଟକମାନେ ସେଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଶିମିଳିପାଳ କେବେ ପୁନର୍ବାର ଖୋଲିବ, ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ବନ ବିଭାଗ ପକ୍ଷରୁ ସୂଚନା ଜାରି କରାଯିବ।

