ଓଡ଼ିଶାରେ ସଂଗଠନ ବିସ୍ତାରକୁ ଜୋର; ଆପ୍ର ୭ ସହ-ପ୍ରଭାରୀଙ୍କ ରାଜ୍ୟ ଗସ୍ତ
ଓଡ଼ିଶାରେ ସାଙ୍ଗଠନିକ କଳେବର ବୃଦ୍ଧି ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) କେନ୍ଦ୍ରୀୟ ନେତୃତ୍ୱ ବଡ଼ ପଦକ୍ଷେପ ନେଇଛି। ଦିଲ୍ଲୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତ ୭ ଜଣ ସହ-ପ୍ରଭାରୀ ଓଡ଼ିଶାରେ ପହଞ୍ଚି ସାରିଥିବା ବେଳେ ଆଗାମୀ ତିନି ମାସ ଧରି ସେମାନେ ରାଜ୍ୟର ବିଭିନ୍ନ ବିଧାନସଭା କ୍ଷେତ୍ର ଗସ୍ତ କରି ସଂଗଠନର ସ୍ଥିତି ସମୀକ୍ଷା କରିବେ। ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ୧୪୭ଟି ବିଧାନସଭାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ସହ-ପ୍ରଭାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ ବିଧାନସଭା ସ୍ତରୀୟ ସାଙ୍ଗଠନିକ ସମୀକ୍ଷା ବୈଠକ ଆୟୋଜନ କରାଯିବ। ଏହି ବୈଠକରେ ଜିଲ୍ଲା ସଭାପତି, ରାଜ୍ୟ ସଂଗଠନ ସମ୍ପାଦକ ଓ ସକ୍ରିୟ କର୍ମୀମାନେ ଯୋଗଦେବେ। ଦିଲ୍ଲୀରୁ ଆସିଥିବା ଏହି ଟିମ୍ରେ ଅଜିତ୍ ପାଲ୍, ଦିନେଶ କୁମାର, ପ୍ରଦୀପ ମିତ୍ତଲ, ପ୍ରବୀଣ କୁମାର କାଭିୟା, ପୁନିତ୍ ରାୟ, ରବୀନ୍ଦ୍ର ଭରଦ୍ୱାଜ ଓ ଟିଙ୍କୁ ରାଜୋରା ରହିଛନ୍ତି। ସେମାନଙ୍କ ଅଭିଜ୍ଞତାକୁ ଭିତ୍ତି କରି ତୃଣମୂଳ ସ୍ତରରେ ଦଳର ସଂଗଠନକୁ ସୁଦୃଢ଼ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଆଗାମୀ ପଞ୍ଚାୟତ, ଜିଲ୍ଲା ପରିଷଦ ଓ ନଗରପାଳିକା ନିର୍ବାଚନକୁ ଲକ୍ଷ୍ୟ ରଖି ଦଳ ସମସ୍ତ ସ୍ଥାନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଓଡ଼ିଶାର ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଏକ ବିକଳ୍ପ ରାଜନୈତିକ ଶକ୍ତିର ଆବଶ୍ୟକତା ରହିଥିବା ଦର୍ଶାଇ ଆପ୍ ତାହାର ସଂଗଠନ ବିସ୍ତାରକୁ ତ୍ୱରାନ୍ୱିତ କରିଛି। ଏହି ପଦକ୍ଷେପ ପାଇଁ କେନ୍ଦ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ରାଜ୍ୟ ନେତୃତ୍ୱ ଏବଂ କର୍ମୀମାନେ କୃତଜ୍ଞତା ଜଣାଇଛନ୍ତି।

