ନୀରବ ମୋଦିଙ୍କୁ ବଡ଼ ଝଟକା; ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପ୍ରାୟ ୧୦୦ କୋଟି ଟଙ୍କା ଫେରାଇବାକୁ ୟୁକେ କୋର୍ଟଙ୍କ ନିର୍ଦ୍ଦେଶ
ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ୟୁକେର ଏକ ଅଦାଲତରୁ ବଡ଼ ଝଟକା ଲାଗିଛି। ଲଣ୍ଡନର ସର୍କିଟ୍ କମର୍ସିଆଲ୍ କୋର୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରେ ରାୟ ଦେଇ ନୀରବ ମୋଦିଙ୍କୁ ୧୦.୭ ମିଲିୟନ୍ ଆମେରିକୀୟ ଡଲାର (ପ୍ରାୟ ୧୦୦ କୋଟି ଟଙ୍କା) ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ସାଇମନ୍ ଟିଙ୍କଲର ବ୍ୟାଙ୍କର ଦାବିକୁ ସମ୍ପୂର୍ଣ୍ଣ ବୈଧ ବୋଲି ମାନିଥିବା ବେଳେ, ବର୍ତ୍ତମାନ ଲଣ୍ଡନ ଜେଲରେ ଥିବା ନୀରବ ମୋଦିଙ୍କ ପାଇଁ ଏହା ଆଉ ଏକ ବଡ଼ ଆଇନଗତ ଝଟକା ହୋଇଛି।
ଏହି ମାମଲାର ମୂଳ ୨୦୧୨ ମସିହାକୁ ଯାଇଥାଏ। ସେତେବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନୀରବ ମୋଦିଙ୍କ ଦୁବାଇସ୍ଥିତ କମ୍ପାନୀ ‘ଡାଇମଣ୍ଡ ଏଫଜେଡଇ’କୁ ବଡ଼ ଋଣ ପ୍ରଦାନ କରିଥିଲା। ୨୦୧୩ ଅଗଷ୍ଟରେ ନୀରବ ମୋଦି ନିଜେ ଏହି ଋଣର ବ୍ୟକ୍ତିଗତ ଗ୍ୟାରେଣ୍ଟର ଭାବେ ସ୍ୱାକ୍ଷର କରିଥିଲେ। କମ୍ପାନୀ ଋଣ ପରିଶୋଧ ନ କଲେ ସେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା।
ତେବେ କୋର୍ଟରେ ନୀରବ ମୋଦି ଯୁକ୍ତି ବାଢ଼ିଥିଲେ ଯେ ଏହି ଚୁକ୍ତିର ସର୍ତ୍ତ ତାଙ୍କ ଉପରେ ପ୍ରଯୁଜ୍ୟ ନୁହେଁ ଏବଂ ବ୍ୟାଙ୍କ କେବେ ବିଧିବଦ୍ଧ ଭାବେ ଟଙ୍କା ଦାବି କରିନଥିଲା। କିନ୍ତୁ ଅଦାଲତ ଏହି ଯୁକ୍ତିକୁ ଖାରଜ କରି ବ୍ୟାଙ୍କର ଦାବିକୁ ସଠିକ୍ ବୋଲି ରାୟ ଦେଇଛନ୍ତି। ଏହି ନିଷ୍ପତ୍ତି ନୀରବ ମୋଦିଙ୍କ ବିରୋଧରେ ଚାଲିଥିବା ଆର୍ଥିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆହୁରି ମଜବୁତ କରିଛି।

