Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାମେଲି ଓଝା ମାମଲା: ହାଇକୋର୍ଟରୁ ପ୍ରତ୍ୟାହୃତ ହେଲା ଜନସ୍ୱାର୍ଥ ଆବେଦନ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଗିରଫ ଓ ନିର୍ଯାତନା ପ୍ରସଙ୍ଗକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟରୁ ପ୍ରତ୍ୟାହାର କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କ ଖଣ୍ଡପୀଠରେ ପ୍ରାରମ୍ଭିକ ଶୁଣାଣି ବେଳେ ଆବେଦନର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିବା ପରେ ଆବେଦନକାରୀ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ମଗାଯାଇଥିଲା। ହାଇକୋର୍ଟ ଏଥିରେ ସମ୍ମତି ପ୍ରଦାନ କରି ମାମଲାର ଶୁଣାଣି ଶେଷ କରିଛନ୍ତି।

ଗତ ସପ୍ତାହରେ ଦାଖଲ ହୋଇଥିବା ଏହି ଜନସ୍ୱାର୍ଥ ଆବେଦନରେ ଚାମେଲି ଓଝାଙ୍କ ଉପରେ ହୋଇଥିବା କଥିତ ନିର୍ଯାତନା, ଗିରଫ ଘଟଣା ଏବଂ ସମଗ୍ର ମାମଲାର ନିରପେକ୍ଷ ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ଦାବି କରାଯାଇଥିଲା। ସେହିସହିତ ଚାମେଲିଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟ, ଘଟଣାଦିନର ସିସିଟିଭି ଫୁଟେଜ ସଂରକ୍ଷଣ ଏବଂ ପୁଲିସର ବ୍ୟବହାର ନେଇ ସ୍ୱତନ୍ତ୍ର ଗାଇଡଲାଇନ୍‌ ପ୍ରସ୍ତୁତ କରିବାକୁ ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଏହି ମାମଲାରେ ମୁଖ୍ୟ ସଚିବ, ଗୃହ ସଚିବ, ପଞ୍ଚାୟତିରାଜ ସଚିବ, ପୁଲିସ ଡିଜି, କେନ୍ଦ୍ରାପଡ଼ା ଏସ୍‌ପି, ଜିଲ୍ଲାପାଳ, ମହାକାଳପଡ଼ା ବିଡିଓ ଏବଂ ସମ୍ପୃକ୍ତ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ତେବେ ଜନସ୍ୱାର୍ଥ ଆବେଦନ ପ୍ରତ୍ୟାହୃତ ହେବା ସହିତ ହାଇକୋର୍ଟରେ ଏହି ପର୍ଯ୍ୟାୟର ଆଇନଗତ ପ୍ରକ୍ରିୟାର ଅନ୍ତ ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ