Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଠାତ୍ ବଦଳିବ ପାଗ; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ପାଗରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ମୌସୁମୀ ସକ୍ରିୟ ରହିବା ସହ ପଛକୁ ପଛ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଜୁନ୍ ୨୫ରେ ଗୋଟିଏ ଓ ଜୁଲାଇ ୨ରେ ଆଉ ଏକ ଘୂର୍ଣ୍ଣିବଳୟ ଗଠନ ହୋଇପାରେ। ଏହାର ପ୍ରଭାବରେ ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସହ କେତେକ ଅଞ୍ଚଳରେ ଦମକା ପବନ ବହିବାର ସମ୍ଭାବନା ରହିଛି। ଶୁକ୍ରବାର ଉତ୍ତର, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଜାରି ରହିବ। ଏହି ସମୟରେ ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡିରେ ଭାରି ବର୍ଷା ହେବାର ଆଶଙ୍କା ରହିଛି। ଜୁନ୍ ୨୭ ଓ ୨୮ ତାରିଖରେ ମଧ୍ୟ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାର ଏକାଧିକ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ।

ଅନ୍ୟପଟେ ବର୍ଷା ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ଜଗତସିଂହପୁର ଓ ନୂଆପଡ଼ାରେ ସର୍ବାଧିକ ୩୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ୩୮.୧, ନୟାଗଡ଼ ଓ ତାଳଚେରରେ ୩୮ ଏବଂ ଭୁବନେଶ୍ୱରରେ ୩୭.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା କିଛି ଦିନ ବର୍ଷା ବଢ଼ିବା ସହ ତାପମାତ୍ରାରେ ମଧ୍ୟ ହ୍ରାସ ଆସିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ