Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଜନତା ଦଳରେ ମିଶିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଦୀର୍ଘଦିନର ଚର୍ଚ୍ଚାର ଅନ୍ତ ଘଟାଇ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ମିଶନ ଶକ୍ତିର ପୂର୍ବତନ କମିଶନର-ସହ-ସଚିବ ସୁଜାତା କାର୍ତ୍ତିକେୟନ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ଦଳୀୟ ବୈଠକରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ଦଳ ପକ୍ଷରୁ ସୂଚନା ମିଳିଛି ଯେ, ସୁଜାତା କାର୍ତ୍ତିକେୟନ ପ୍ରଥମ ପର୍ଯ୍ୟାୟରେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ବୈଠକରେ ବିଜେଡିର ବିଧାୟକ, ସାଂସଦ, ବରିଷ୍ଠ ନେତା ଓ ୩୦ ଜିଲ୍ଲାର ସଂଗଠନିକ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସୁଜାତାଙ୍କୁ ନବୀନ ପଟ୍ଟନାୟକ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।

ଗତ କିଛି ଦିନ ଧରି ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଏଣ୍ଟ୍ରିକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା। ନବୀନ ନିବାସରେ ବରିଷ୍ଠ ନେତାଙ୍କ ସହ ହୋଇଥିବା ରୁଦ୍ଧଦ୍ୱାର ବୈଠକ ପରେ ତାଙ୍କ ରାଜନୈତିକ ଏଣ୍ଟ୍ରି ପ୍ରାୟ ସ୍ପଷ୍ଟ ହୋଇଯାଇଥିଲା। ବୈଠକ ପରେ ଦଳର ବରିଷ୍ଠ ନେତାମାନେ ସୁପ୍ରିମୋଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କହିଥିବାବେଳେ ଅନେକ ନେତା ସୁଜାତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ବୋଲି ମତ ଦେଇଥିଲେ।

୨୦୦୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ଓଡ଼ିଶା ପ୍ରଶାସନର ଜଣେ ପରିଚିତ ମୁହଁ। ମିଶନ ଶକ୍ତି କାର୍ଯ୍ୟକ୍ରମରେ ତାଙ୍କ ଭୂମିକାକୁ ନେଇ ସେ ବେଶ୍ ଚର୍ଚ୍ଚିତ ଥିଲେ। ୨୦୨୪ ନିର୍ବାଚନ ପରେ ସେ ଛୁଟିରେ ଯାଇଥିଲେ ଏବଂ ପରେ ସ୍ୱେଚ୍ଛାକୃତ ଅବସର (VRS) ଗ୍ରହଣ କରିଥିଲେ। ଏହାପରେ ତାଙ୍କ ରାଜନୀତିରେ ପ୍ରବେଶକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଯୋଗଦାନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଦଳର ସଂଗଠନ, ମହିଳା ସଶକ୍ତିକରଣ ଏବଂ ନୀତି ନିର୍ଦ୍ଧାରଣରେ ସେ କିପରି ଭୂମିକା ନେବେ, ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ