ଶଙ୍ଖ’ ଧରିଲେ ସୁଜାତା; ପ୍ରଣବ ପ୍ରକାଶ ଦାସ, ବିକ୍ରମ କେଶରୀ ଆରୁଖ, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଅନୁପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର: ଦୀର୍ଘଦିନର ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅବସାନ ଘଟାଇ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଶଙ୍ଖଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ତେବେ ଏହି ବହୁଚର୍ଚ୍ଚିତ ଯୋଗଦାନ ଯେତିକି ଆଲୋଚନାର ବିଷୟ ପାଲଟିଛି, ସେତିକି କିଛି ବରିଷ୍ଠ ନେତାଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ପ୍ରଶ୍ନ ଉଠିଛି।
ସୁଜାତା କାର୍ତ୍ତିକେୟନଙ୍କ ଭଳି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଦଳରେ ଯୋଗଦାନ କାର୍ଯ୍ୟକ୍ରମରେ ବିଜେଡିର କେତେକ ପ୍ରମୁଖ ନେତା ଉପସ୍ଥିତ ନ ଥିବା ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପ୍ରସନ୍ନ ଆଚାର୍ଯ୍ୟ, ଭୂପିନ୍ଦର ସିଂ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ର ଓ ଲତିକା ପ୍ରଧାନଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ଏହି ଅନୁପସ୍ଥିତିକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ହେଉଥିବା ବେଳେ, ସମ୍ପୃକ୍ତ ନେତାମାନଙ୍କ ପକ୍ଷରୁ ଏନେଇ କୌଣସି ଆଧିକାରିକ ମତ ପ୍ରକାଶ ପାଇନାହିଁ।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ବରିଷ୍ଠ ନେତାଙ୍କ ଅନୁପସ୍ଥିତି ପଛରେ ବିଭିନ୍ନ କାରଣ ଥାଇପାରେ। କେହି ଏହାକୁ ସାଧାରଣ ସଂଯୋଗ ବୋଲି କହୁଥିବା ବେଳେ, ଆଉ କେତେକ ଏହାକୁ ଦଳ ଭିତରର ସମ୍ଭାବ୍ୟ ଅସନ୍ତୋଷ ସହ ଯୋଡ଼ି ଦେଖୁଛନ୍ତି। ତେବେ ଏପରି କୌଣସି ଦାବିର ସ୍ୱାଧୀନ ପ୍ରମାଣ ସାମ୍ନାକୁ ଆସିନାହିଁ। ଅନ୍ୟପଟେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତିରେ କାର୍ଯ୍ୟ କରିଥିବାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ଭୋଟବ୍ୟାଙ୍କ ଉପରେ ତାଙ୍କ ପ୍ରଭାବକୁ ବିଜେଡି ସାଙ୍ଗଠନିକ ଭାବେ କିପରି ବ୍ୟବହାର କରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ସୁଜାତାଙ୍କ ରାଜନୈତିକ ଇନିଂସ ଆରମ୍ଭ ସହ ବିଜେଡିର ସଂଗଠନ ଓ ଆଭ୍ୟନ୍ତରୀଣ ସମୀକରଣ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

