୨୦୨୩-୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ହରିହର ମହାପାତ୍ର ଶ୍ରେଷ୍ଠ ଅଭିନେତା, ନୈନା ଦାସ ତିୱାରୀ ଓ ସୁପ୍ରିୟା ନାୟକ ଶ୍ରେଷ୍ଠ ଅଭିନେତ୍ରୀ
ଭୁବନେଶ୍ୱର: ଓଡ଼ିଶା ସିନେ ଜଗତର ବହୁ ପ୍ରତୀକ୍ଷିତ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଗୁରୁବାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏକାଥରକେ ୨୦୨୩ ଓ ୨୦୨୪ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି।
୨୦୨୩ ବର୍ଷ ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଯୁଗ୍ମ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଦୁଇଟି ସିନେମା ନିଜର କାହାଣୀ, ନିର୍ମାଣଶୈଳୀ ଓ ଅଭିନୟ ପାଇଁ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା।
ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପିନାକୀ ସିଂହ ଏବଂ ଶିଶିର କୁମାର ସାହୁ ଯୁଗ୍ମ ଭାବେ ସମ୍ମାନିତ ହୋଇଛନ୍ତି। ସେହିପରି ହରିହର ମହାପାତ୍ର ଶ୍ରେଷ୍ଠ ମୁଖ୍ୟ ଅଭିନେତା ପୁରସ୍କାର ପାଇଥିବା ବେଳେ ନୈନା ଦାସ ତିୱାରୀ ଓ ସୁପ୍ରିୟା ନାୟକ ଯୁଗ୍ମ ଭାବେ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି।
ଚଳଚ୍ଚିତ୍ର ଜଗତରେ ଦୀର୍ଘଦିନର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଖ୍ୟାତ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ସମ୍ମାନଜନକ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଜୀବନବ୍ୟାପୀ ସାଧନା ପୁରସ୍କାର’ ପ୍ରଦାନ କରାଯିବ।
ରାଜ୍ୟ ସରକାରଙ୍କ ଏହି ପୁରସ୍କାର ମାଧ୍ୟମରେ ଓଡ଼ିଆ ସିନେମାର ବିକାଶରେ ଅବଦାନ ରଖିଥିବା କଳାକାର, ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ ସମ୍ମାନିତ କରାଯାଇଛି। ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଏହି ଘୋଷଣାକୁ ନେଇ ବେଶ୍ ଉତ୍ସାହ ଦେଖାଯାଇଛି।

