ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟି: ସମସ୍ତ ବହି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ମିଳିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ନୂଆ ସଂଶୋଧିତ ବହି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ତଦନ୍ତ ରିପୋର୍ଟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଠ୍ୟପୁସ୍ତକ ପ୍ରସ୍ତୁତିରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ ରହିଛି। ସେଥିପାଇଁ ପାଣ୍ଡୁଲିପି ପ୍ରସ୍ତୁତି, ଯାଞ୍ଚ ଓ ମୁଦ୍ରଣ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ତ୍ରୁଟିପୂର୍ଣ୍ଣ ବହିର ମୂଲ୍ୟ ମଧ୍ୟ ଆଦାୟ କରାଯିବ।
ଏପଟେ ବହିରେ ଥିବା ତ୍ରୁଟିକୁ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପୃଷ୍ଠା ପୃଷ୍ଠାରେ ଭୁଲ୍ ଥିବାରୁ ପାଠପଢ଼ା ପ୍ରଭାବିତ ହେଉଛି। ଏହା ସହିତ ପାଠ୍ୟପୁସ୍ତକରେ ବିଭିନ୍ନ କବି ଓ ଲେଖକଙ୍କ ରଚନାକୁ ଯଥାଯଥ ଅନୁମତି କିମ୍ବା ଶ୍ରେୟ ନ ଦେଇ ପ୍ରକାଶ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ପ୍ରସଙ୍ଗରେ ଅନେକ ସାହିତ୍ୟିକ ପ୍ରଶ୍ନ ଉଠାଇଥିବା ବେଳେ ଏସ୍ସିଇଆର୍ଟି ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଉତ୍ତର ମିଳିନାହିଁ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ଟି ତ୍ରୁଟି ଥିବା ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତିନିଜଣିଆ ତଦନ୍ତ କମିଟି ଗଠନ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। କମିଟି ରିପୋର୍ଟ ଦାଖଲ କରିବା ପରେ ସରକାର ଏବେ ସମସ୍ତ ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର କରି ନୂଆ ବହି ବଣ୍ଟନ କରିବା ସହ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି।

