Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିମିଳିପାଳରେ ଖୁସିର ଖବର: ବାଘୁଣୀ ‘ଜିନ୍ନତ’ ସହ ଦେଖାଦେଲେ ନବଜାତ ଶାବକ

ଶିମିଳିପାଳ ବାଘ ଅଭୟାରଣ୍ୟରୁ ଆସିଛି ଏକ ବଡ଼ ଖୁସିର ଖବର। ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ନିଜ ଶାବକମାନଙ୍କ ସହ ଜଙ୍ଗଲରେ ନିର୍ଭୟରେ ବୁଲୁଥିବା ଦୃଶ୍ୟ ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି। ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଫଟୋ ଓ ଭିଡିଓରେ ଜିନ୍ନତ ନିଜ ଶାବକମାନଙ୍କ ସହ ପ୍ରାକୃତିକ ପରିବେଶରେ ସ୍ୱାଧୀନ ଭାବେ ବିଚରଣ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ପ୍ରାୟ ଦୁଇ ମାସ ବୟସର ଏହି ଶାବକମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା ସୂଚନା ମିଳିଛି। ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ୨୪ ଘଣ୍ଟିଆ ସ୍ୱତନ୍ତ୍ର ନଜର ରଖିଛି।

ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ବନ୍ୟଜନ୍ତୁ ପ୍ରେମୀ ଓ ପରିବେଶବିତ୍‌ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶିମିଳିପାଳରେ ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ପାଇଁ ସରକାର ଓ ବନ ବିଭାଗ ନେଇଥିବା ପଦକ୍ଷେପ ସଫଳ ହେଉଥିବାର ଏହା ଏକ ବଡ଼ ପ୍ରମାଣ ବୋଲି କୁହାଯାଉଛି। ମହାରାଷ୍ଟ୍ରରୁ ସ୍ଥାନାନ୍ତରିତ ହୋଇଥିବା ଜିନ୍ନତ ଓଡ଼ିଶାର ଜଳବାୟୁ ଓ ଶିମିଳିପାଳର ପ୍ରାକୃତିକ ପରିବେଶ ସହ ସଫଳତାର ସହ ଖାପଖୁଆଇ ନେଇଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ଜିନ୍ନତଙ୍କ ଶାବକ ଜନ୍ମକୁ ଶିମିଳିପାଳ ପାଇଁ ଏକ ମାଇଲଖୁଣ୍ଟ ବୋଲି ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ, ଏହା କେବଳ ବାଘ ସଂଖ୍ୟା ବୃଦ୍ଧିର ସଙ୍କେତ ନୁହେଁ, ବରଂ ଅଭୟାରଣ୍ୟର ପରିବେଶ ବାଘଙ୍କ ପ୍ରଜନନ ପାଇଁ ଅନୁକୂଳ ଥିବାର ମଧ୍ୟ ପ୍ରମାଣ। ଆଗାମୀ ଦିନରେ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ସହ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆହୁରି ଏକ ବଡ଼ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ