ସ୍ନାନ ପୂର୍ଣ୍ଣିମାରେ ରଥଖଳାରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଅପ୍ରତ୍ୟାଶିତ ଭିଡ଼ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦୁର୍ଲଭ ସ୍ନାନ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଥିଲେ। ଭିଡ଼ ଅସମ୍ଭାଳ ହୋଇପଡ଼ିବାରୁ ସ୍ନାନମଣ୍ଡପ ନିକଟ ରଥଖଳାକୁ ଯିବା ପାଇଁ ଲଗାଯାଇଥିବା ବ୍ୟାରିକେଡ୍ ଆଗରେ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା ଭକ୍ତମାନେ ହଠାତ୍ ବ୍ୟାରିକେଡ୍ ଭାଙ୍ଗି ରଥଖଳା ଭିତରକୁ ଧସେଇ ପଶିଯାଇଥିଲେ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଚେଷ୍ଟା କରିଥିଲେ ମଧ୍ୟ ଭକ୍ତଙ୍କ ପ୍ରବଳ ସୁଅ ଯୋଗୁଁ ପୁଲିସ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧସ୍ତାଧସ୍ତି ସୃଷ୍ଟି ହୋଇଥିଲା। ଠେଲାପେଲା ବେଳେ ଅନେକ ଭକ୍ତ ତଳେ ପଡ଼ିଯାଇଥିବା ବେଳେ ବ୍ୟାରିକେଡ୍ରେ ପଡ଼ି କିଛି ଆହତ ହୋଇଥିଲେ। ପ୍ରବଳ ଗରମ ଓ ଅତ୍ୟଧିକ ଗହଳି ଯୋଗୁଁ ଅନେକ ବୃଦ୍ଧ, ମହିଳା ଓ ଶିଶୁ ଅଣନିଶ୍ୱାସୀ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାଣି ପିଆଇବା ସହ କିଛି ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ଏହି ଘଟଣା ପରେ ପୁଲିସ ଓ ପ୍ରଶାସନର ଭିଡ଼ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଅନେକ ଶ୍ରଦ୍ଧାଳୁ ପ୍ରଶାସନର ଅବ୍ୟବସ୍ଥା ଏବଂ ଦୁର୍ବଳ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ଏହି ପରିସ୍ଥିତି ପାଇଁ ଦାୟୀ କରିଛନ୍ତି। ସ୍ନାନପୂର୍ଣ୍ଣିମା ପରି ବିଶାଳ ଧାର୍ମିକ ସମାଗମରେ ଆଗାମୀ ଦିନରେ ଅଧିକ ସୁଦୃଢ଼ ସୁରକ୍ଷା ଓ ଭିଡ଼ ପରିଚାଳନା ବ୍ୟବସ୍ଥାର ଆବଶ୍ୟକତା ଥିବା ନେଇ ମଧ୍ୟ ଦାବି ଜୋର ଧରିଛି।

