ମୃତ୍ୟୁ ପରେ ବି ଛାଡ଼ିଲାନି ଧର୍ମ ବିବାଦ, ବୃଦ୍ଧଙ୍କୁ ଶ୍ମଶାନ ମନା
ରାୟଗଡ଼ା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ୬୫ ବର୍ଷୀୟ ଆଦିବାସୀ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ଶେଷକୃତ୍ୟ ପାଇଁ ଶ୍ମଶାନ ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକର ଗାଜିଗାଁରେ ।
ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ଜାକାକା ଦାମ ପ୍ରାୟ ୪ରୁ ୫ ବର୍ଷ ପୂର୍ବେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ସେ କିଛି ମାସ ଧରି ଅସୁସ୍ଥ ଥିଲେ ଏବଂ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଖ୍ରୀଷ୍ଟ ଧର୍ମର ରୀତିନୀତି ଅନୁଯାୟୀ ସ୍ଥାନୀୟ ଶ୍ମଶାନରେ କବର ଦେବାକୁ ପ୍ରସ୍ତୁତି କରୁଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।
ଗ୍ରାମବାସୀଙ୍କ କହିବା ଅନୁସାରେ, ସ୍ଥାନୀୟ ଶ୍ମଶାନ କେବଳ ପାରମ୍ପରିକ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ। ସେଠାରେ କେବଳ ଶବଦାହ କରାଯାଏ, କବର ଦେବାର ବ୍ୟବସ୍ଥା ନାହିଁ। ଧର୍ମ ପରିବର୍ତ୍ତନ କରିଥିବାରୁ ସେଠାରେ ଜାକାକା ଦାମଙ୍କୁ କବର ଦେବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି।
ତେବେ ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୃତଦେହର ଶେଷକୃତ୍ୟ ହୋଇପାରିନାହିଁ। ଅନ୍ୟପଟେ, ଗାଁର ପରମ୍ପରା ଅନୁଯାୟୀ କାହାର ମୃତ୍ୟୁ ହେଲେ ଶବ ସତ୍କାର ନହେବା ପର୍ଯ୍ୟନ୍ତ ଗାଁରେ ଚୁଲି ଜଳେ ନାହିଁ। ଫଳରେ ସାରା ଗାଁରେ ରୋଷେଇ ମଧ୍ୟ ବନ୍ଦ ରହିଛି। ଦିନସାରା ଗ୍ରାମରେ ଏକାଧିକ ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନାହିଁ। ମୃତକଙ୍କର ତିନି ପୁଅ ଓ ପରିବାର ସଦସ୍ୟ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା ପୋଲିସ ନିକଟରେ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
ଯେତେବେଳେ ଜାତି ଭେଦ ଛାଡି ଆମେ ଏକତାର କଥା କହୁଛେ ସେତେବେଳେ ଏଭଳି ଘଟଣା ଧର୍ମ ଏବଂ ମାନବିକତା ମଧ୍ୟରୁ ପ୍ରକୃତରେ କିଏ ବଡ ସେନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ? ଏବେ ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରୁଛି ।

