କଟକରେ ଦୁସ୍ସାହସିକ ଲୁଟ: ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ନେଇ ଫେରାର ୬ ଦୁର୍ବୃତ୍ତ
କଟକ: କଟକରେ ରବିବାର ରାତିରେ ଘଟିଛି ଏକ ଚାଞ୍ଚଲ୍ୟକର ଲୁଟ ଘଟଣା। ମହିଳା ସୁନା ବ୍ୟବସାୟୀ ପିଙ୍କି ସାହାଙ୍କୁ ମାରଣାନ୍ତକ ଆକ୍ରମଣ କରି ପ୍ରାୟ ୩୬ ଲକ୍ଷ ଟଙ୍କା ନଗଦ ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ। ରାତି ପ୍ରାୟ ୧୦ରୁ ୧୦.୩୦ ମଧ୍ୟରେ ପିଙ୍କି ସାହା ଜଣେ ଗହଣା ଦୋକାନ କର୍ମଚାରୀଙ୍କ ସହ ସ୍କୁଟିରେ ଓଏମ୍ପି ଛକସ୍ଥିତ କଲିକତା ବସ୍ ଷ୍ଟାଣ୍ଡକୁ ଯାଉଥିବା ବେଳେ ଜାତୀୟ ରାଜପଥ-୧୬ର ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ।
ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଲୁହାଛଡ଼ରେ ଆକ୍ରମଣ କରି ଟଙ୍କାଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇ ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ପିଙ୍କି ସାହାଙ୍କୁ ପୁଲିସ ଉଦ୍ଧାର କରି ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରିଛି। ସୂଚନା ଅନୁଯାୟୀ, ସେ କଲିକତାରୁ ସୁନା ଅଳଙ୍କାର କିଣିବା ପାଇଁ ବସ୍ ଯୋଗେ ଯିବାକୁ ୩୬ ଲକ୍ଷ ଟଙ୍କା ନେଇ ବାହାରିଥିଲେ।
ଘଟଣା ପରେ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏତେ ବଡ଼ ଅଙ୍କର ଟଙ୍କା ନେଇ ଯାଉଥିବା ସୂଚନା ଦୁର୍ବୃତ୍ତମାନେ କିପରି ପାଇଲେ, ଭିତରୁ କେହି ସୂଚନା ଲିକ୍ କରିଥିଲେ କି ଏବଂ ପୁଲିସକୁ ନ ଜଣାଇ ଏତେ ରାତିରେ ନଗଦ ଟଙ୍କା ନେଇ ଯିବା ପଛରେ କାରଣ କଣ, ସେସବୁ ଦିଗକୁ ନେଇ ପୁଲିସ ତଦନ୍ତ ଜୋରଦାର କରିଛି।

