ଭୁବନେଶ୍ୱରରେ ବଡ଼ ଧରଣର ଚୋରି; ଘରୁ ଲୁଟିନେଲେ ୨୦ ଲକ୍ଷର ସୁନା ଗହଣା ଓ ଦାମୀ ଘଡ଼ି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଶିବଶଙ୍କର ବେହେରାଙ୍କ ଘରେ ପଶି ଚୋରି କରିଥିବା ଅଭିଯୋଗ ଆସିଛି ।
ଅଭିଯୋଗ ଅନୁସାରେ, ଚୋରମାନେ ଘରୁ ସୁନା ଅଳଙ୍କାର ସହ ବିଭିନ୍ନ ଦାମୀ ବ୍ରାଣ୍ଡର ହାତଘଡ଼ି ଲୁଟି ନେଇଛନ୍ତି | ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ପରିବାର ପକ୍ଷରୁ କୁହାଯାଉଛି | ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ଦାଖଲ କରାଯାଇଛି।
ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିକଟସ୍ଥ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା କିଛି ବଞ୍ଜାରା ଦଳ ଏହି ଚୋରିରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

