ସିବିଏସଇ ବୋର୍ଡର ବଡ ନିଷ୍ପତ୍ତି; ଏଣିକି ଦଶମ ପାସ ସାର୍ଟିଫିକେଟ୍ ପାଇଁ ତୃତୀୟ ଭାଷାରେ ପାସ୍ ହେବା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସିବିଏସଇ (CBSE) ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ସମ୍ପର୍କରେ ନୂଆ ନିୟମ ଜାରି କରିଛି। ୨୦୨୭-୨୮ ଶିକ୍ଷାବର୍ଷରୁ ଦଶମ ପାସ୍ ସାର୍ଟିଫିକେଟ୍ ପାଇବା ପାଇଁ ତୃତୀୟ ଭାଷାର ସ୍କୁଲ୍-ଆଧାରିତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ କରିବା ବାଧ୍ୟତାମୂଳକ ହେବ। ତେବେ ଏହି ବିଷୟ ପାଇଁ ବୋର୍ଡ ପରୀକ୍ଷା ହେବ ନାହିଁ ଏବଂ ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ ସ୍କୁଲ୍ ସ୍ତରରେ କରାଯିବ। ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ ନକଲେ ଦଶମ ପାସ୍ ସାର୍ଟିଫିକେଟ୍ ମିଳିବ ନାହିଁ।
ଏହି ନିୟମ ୨୦୨୬-୨୭ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ଯଦି କୌଣସି ଛାତ୍ର ନବମ ଶ୍ରେଣୀରେ ତୃତୀୟ ଭାଷାରେ ପାସ୍ କରିପାରିବେ ନାହିଁ, ତଥାପି ସେ ଦଶମ ଶ୍ରେଣୀକୁ ପଦୋନ୍ନତି ପାଇବେ। କିନ୍ତୁ ଦଶମ ଶ୍ରେଣୀରେ ପଢ଼ିବା ସମୟରେ ସେହି ବାକି ଥିବା ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ କରିବା ଆବଶ୍ୟକ ହେବ। ଏହା ନହେଲେ ବୋର୍ଡ ପକ୍ଷରୁ ପାସ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ନାହିଁ।
ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସିବିଏସଇ ଏହି ପଦକ୍ଷେପ ନେଇଛି। ବୋର୍ଡର ନିୟମ ଅନୁସାରେ, ଛାତ୍ରଛାତ୍ରୀ ପଢ଼ୁଥିବା ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତୀୟ ଭାଷା ହେବା ଆବଶ୍ୟକ। ଏହି ନୂଆ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭାଷାଗତ ଦକ୍ଷତା ବୃଦ୍ଧି ସହ ବହୁଭାଷୀ ଶିକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ସିବିଏସଇ ଲକ୍ଷ୍ୟ ରଖିଛି।

