Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମର୍ସିଡିଜ୍ ଦୁର୍ଘଟଣା ମାମଲା: ଆଇନ ଛାତ୍ର ଗିରଫ, ମଦ୍ୟପାନ କରି ଗାଡ଼ି ଚଳାଉଥିବା ସ୍ପଷ୍ଟ କଲା ପୁଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଶାସ୍ତ୍ରୀନଗର ଟ୍ରାଫିକ୍ ପୋଷ୍ଟ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ଯୁବକଙ୍କ ପରିଚୟ ମିଳିଛି। ସେ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ନିଶ୍ଚିନ୍ତକୋଇଲି ଅଞ୍ଚଳର ଏବଂ ବର୍ତ୍ତମାନ ନୂଆସାହିରେ ରହୁଥିବା ୩୪ ବର୍ଷୀୟ ଯୁବକ ଦେବୀପ୍ରସାଦ ରାଉତରାୟ । ସେ ଜଣେ ଏସି ମେକାନିକ ଭାବେ କାମ କରୁଥିଲେ। ଏହି ଘଟଣାରେ ଅଭିଯୁକ୍ତ ଜୟଦେବବିହାରର ବାସିନ୍ଦା ତଥା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ସୌମ୍ୟରଞ୍ଜନ ରଥ (୨୦)ଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେ ଜଣେ ଆଇନ ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ କହିଛି ଯେ, ବ୍ରେଥ୍ ଆନାଲାଇଜର ପରୀକ୍ଷାରେ ସେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ସ୍ପଷ୍ଟ ହୋଇଛି।

ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୦ ମିନିଟ୍‌ରେ ଦେବୀପ୍ରସାଦ ନିଜ ବାଇକରେ ଟ୍ରାଫିକ୍ ସିଗନାଲ୍ ଖୋଲିବାକୁ ଅପେକ୍ଷା କରି ରହିଥିବାବେଳେ ପଛପଟୁ ଅତ୍ୟଧିକ ବେଗରେ ଆସୁଥିବା ଏକ କଳା ରଙ୍ଗର ମର୍ସିଡିଜ୍ କାର୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍‌ଟି ବାଇକ୍ ସହ ଦେବୀପ୍ରସାଦଙ୍କୁ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲା।

ପ୍ରାଥମିକ ତଦନ୍ତରେ ସୌମ୍ୟରଞ୍ଜନ ରଥ ଗାଡ଼ି ଚଳାଉଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ସହ ଥିବା ଜଣେ ଯୁବତୀ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ସହ ଥିବା ଯୁବତୀଙ୍କୁ ଏକ ସର୍ଟ-ଷ୍ଟେ ହୋମକୁ ପଠାଇଛି। ଖାରବେଳନଗର ଥାନାରେ କେସ୍ ନମ୍ବର ୫୧୨/୨୦୨୬ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଜାମିନ ନାମଞ୍ଜୁର ହେବା ପରେ ସୌମ୍ୟରଞ୍ଜନଙ୍କୁ ଝାରପଡ଼ା ଜେଲକୁ ପଠାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ