ଭଦ୍ରକରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ: ସାଳନ୍ଦୀ ହସ୍ପିଟାଲରେ ଚଢ଼ାଉ, ଅଲଟ୍ରାସାଉଣ୍ଡ ମେସିନ୍ ସିଲ୍
ଭଦ୍ରକ: ଭଦ୍ରକ ସହରସ୍ଥିତ ସାଳନ୍ଦୀ ହସ୍ପିଟାଲରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଟିମ୍ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ କାର୍ତ୍ତିକ ମଣ୍ଡଳଙ୍କ ନେତୃତ୍ୱରେ ସିଟି ଡିଏସ୍ପି ଅନିଲ ପ୍ରଧାନ, ଭେଷଜ ନିରୀକ୍ଷକ ଦୀପକ କୁମାର ଜେନା, ଦୀପ୍ତି ରଞ୍ଜନ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ।
ଚଢ଼ାଉ ବେଳେ ଅଲଟ୍ରାସାଉଣ୍ଡ ମାଧ୍ୟମରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗର ପ୍ରାଥମିକ ପ୍ରମାଣ ମିଳିଥିବା ଅଧିକାରୀମାନଙ୍କ ପକ୍ଷରୁ ସୂଚନା ମିଳିଛି । ଏହାଛଡ଼ା ହସ୍ପିଟାଲ ପରିଚାଳିତ ଔଷଧ ଦୋକାନର କ୍ରୟ-ବିକ୍ରୟ ସମ୍ପର୍କିତ ବିଲ୍, ହିସାବ ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ମଧ୍ୟ କର୍ତ୍ତୃପକ୍ଷ ଦେଖାଇପାରିନଥିଲେ। ଏଥିପାଇଁ ହସ୍ପିଟାଲର ମାଲିକ ଡା. ପି.କେ. ମହାନ୍ତିଙ୍କୁ ସମସ୍ତ ତଥ୍ୟ ଓ ଦସ୍ତାବିଜ ଦାଖଲ କରିବା ପାଇଁ ଚାରି ଦିନର ସମୟ ଦିଆଯାଇଛି। ସେପର୍ଯ୍ୟନ୍ତ ବେଆଇନ କାର୍ଯ୍ୟରେ ବ୍ୟବହୃତ ଅଲଟ୍ରାସାଉଣ୍ଡ ମେସିନ୍କୁ ସିଲ୍ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକର ବିଭିନ୍ନ ମେଡିସିନ ଦୋକାନରେ ବେଆଇନ ଭାବେ ଔଷଧ ବିକ୍ରି ଓ ବିତରଣକୁ ନେଇ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ କଡ଼ା ପଦକ୍ଷେପ ନେଇଥିଲା। ଭେଷଜ ନିରୀକ୍ଷକଙ୍କ ନେତୃତ୍ୱରେ ନିୟମିତ ଯାଞ୍ଚ ଚାଲିଥିବା ବେଳେ ବୁଧବାରର ଏହି ଚଢ଼ାଉ ଜିଲ୍ଲାରେ ବେଆଇନ ସ୍ୱାସ୍ଥ୍ୟସେବା କାର୍ଯ୍ୟକଳାପ ବିରୋଧରେ ପ୍ରଶାସନର କଡ଼ା ଆଭିମୁଖ୍ୟକୁ ସ୍ପଷ୍ଟ କରିଛି।

