ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଷ୍ଟାଫ୍ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ, ପ୍ରେମ ସମ୍ପର୍କକୁ ନେଇ ତଦନ୍ତରେ ପୋଲିସ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଅଞ୍ଚଳରେ ଥିବା ଏକ ଭଡ଼ାଘରରୁ ତାଙ୍କର ଝୁଲନ୍ତା ମୃତଦେହକୁ ପୁଲିସଉଦ୍ଧାର କରିଛି । ଘଟଣା ପରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ଯୁବତୀ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟରତ ଥିଲେ ଏବଂ ଡମଣା ଅଞ୍ଚଳରେ ଏକ ଭଡ଼ାଘରରେ ରହୁଥିଲେ। ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରୁ ଜଣେ ମୃତ ନର୍ସଙ୍କ ପୂର୍ବତନ ପ୍ରେମିକ ବୋଲି ସୂଚନା ମିଳିଛି। ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୂର୍ବତନ ପ୍ରେମିକ ତାଙ୍କୁ ବ୍ଲାକମେଲ୍ କରୁଥିଲେ, ଯାହାଫଳରେ ସେ ଦୀର୍ଘଦିନ ଧରି ମାନସିକ ଚାପରେ ଥିଲେ।
ତେବେ ଏହି ଘଟଣାରେ ଆତ୍ମହତ୍ୟା, ଆତ୍ମହତ୍ୟା ପାଇଁ ପ୍ରରୋଚନା କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି। ମୋବାଇଲ୍ ଫୋନ୍, ଡିଜିଟାଲ୍ ପ୍ରମାଣ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନସିକ୍ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି।

