ଜୋବ୍ରା ଆନିକଟରେ ଅଘଟଣ; ମାଛ ଧରୁଥିବା ବେଳେ ପାଣିରେ ଖସିପଡ଼ିଲେ ଯୁବକ, ସୁରକ୍ଷିତ ଉଦ୍ଧାର
କଟକ:କଟକ ଜୋବ୍ରା ଆନିକଟରେ ମାଛ ଧରୁଥିବା ବେଳେ ଜଣେ ଯୁବକ ପାଣିରେ ଖସିପଡ଼ିଥିଲେ। ଖବର ପାଇବା ମାତ୍ରେ କଟକ ଓ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ତ୍ୱରିତ ପଦକ୍ଷେପ ଯୋଗୁଁ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁଯାୟୀ, ଜୋବ୍ରା ବ୍ୟାରେଜ୍ର ତଳ ଅଞ୍ଚଳରେ ଜାଲ ପକାଇ ମାଛ ଧରୁଥିବା ସମୟରେ ଯୁବକ ଜଣକ ଅସାବଧାନତାବଶତଃ ପାଣିରେ ଖସିପଡ଼ିଥିଲେ। ତାଙ୍କ ପରିଚୟ ଲକ୍ଷ୍ମଣ ରାଓଙ୍କ ପୁଅ ୧୯ ବର୍ଷୀୟ ବୟସ୍କ ନାଗରାଜ ରାଓ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ଘଟଣା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଏକ୍ସଟେନ୍ସନ୍ ସିଡ଼ିର ସହାୟତାରେ ଯୁବକଙ୍କୁ ପାଣିରୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଥିଲା। କଟକ ଓ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗର ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ଏକ ମୂଲ୍ୟବାନ ଜୀବନ ବଞ୍ଚିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

