୩ ରଥରେ ଆଜ୍ଞାମାଳ ବିଜେ; ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଚୂଡ଼ାନ୍ତ ପ୍ରସ୍ତୁତି
ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ପର୍ବ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବୁଧବାର ପ୍ରତିପଦା ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ତିନି ରଥରେ ଆଜ୍ଞାମାଳ ବିଜେ ନୀତି ସମ୍ପନ୍ନ ହୋଇଛି। ସକାଳଧୂପ ନୀତି ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ତିନୋଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା ଓ କାହାଳୀର ମଙ୍ଗଳଧ୍ୱନି ମଧ୍ୟରେ ରଥଖଳାରେ ବିଜେ କରାଇଥିଲେ।
ପରମ୍ପରା ଅନୁଯାୟୀ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଏହି ନୀତି ସହିତ ତିନି ରଥ ଘୋଷଯାତ୍ରା ପାଇଁ ମହାପ୍ରଭୁଙ୍କ ଅନୁମତି ବା ଆଜ୍ଞା ପାଇଥିବା ବିଶ୍ୱାସ ରହିଛି। ଆଜ୍ଞାମାଳ ବିଜେ ନୀତିକୁ ରଥଯାତ୍ରାର ଅନ୍ୟତମ ପ୍ରମୁଖ ପରମ୍ପରା ଭାବେ ଗଣାଯାଏ।
ଆଜ୍ଞାମାଳ ବିଜେ ପରେ ଭୋଇ ସେବକମାନେ ରଥରେ ଦଉଡ଼ି ସଂଯୋଗ କାର୍ଯ୍ୟ ଆରମ୍ଭ କରିବେ। ତାଳଧ୍ୱଜ ରଥରେ ବିଜେ କାହାଳୀ ବାଜିବା ପରେ ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ନିଆଯିବ । ପୋଲିସ ଓ ସେବକମାନଙ୍କ ସହଯୋଗରେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ବଡ଼ଦାଣ୍ଡକୁ ଅଣାଯିବ। ତେବେ ଆସନ୍ତା କାଲି ୯ଟାରୁ ସାଢେ ୯ଟା ମଧ୍ୟରେ ପହଣ୍ଡି ହେବା ନେଇ ଆଶା ରହିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି | କୌଣସି ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢି ପାରିବେ ନାହିଁ। ଏହାସହ ରଥ ଉପରେ ମୋବାଇଲ ବ୍ୟବହାରକୁ ମଧ୍ୟ ବାରଣ କରାଯାଇଛି |ସବୁର ଭିଡିଓଗ୍ରାଫି କରାଯିବ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାଲିର ସମସ୍ତ ଭିଆଇପି, ସାଧାରଣ ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଏହା ସହିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

