ପଟ୍ଟା ଟ୍ରାନ୍ସଫର ପାଇଁ ୨୫ ହଜାର ଲାଞ୍ଚ; ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଏକ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଗୁଣପୁର ତହସିଲ ଅଧୀନ ସିରିଝୋଲି ସାର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଜଣେ ହିତାଧିକାରୀଙ୍କ ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି । ପୂର୍ବରୁ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଫାନ୍ଦ ପକାଇ ଏହି ଚଢ଼ାଉ କରିଥିଲେ।
ଲାଞ୍ଚ ଟଙ୍କା ନେବା ସମୟରେ ଗୁଣପୁର ପୁରୁଣା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ସୁଶାନ୍ତ ମଲ୍ଲିକଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ଲାଞ୍ଚ ବାବଦର ୨୫ ହଜାର ଟଙ୍କା ଜବତ କରାଯାଇଛି। ଘଟଣା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚରାଉଚରା କରିବା ସହ ଆବଶ୍ୟକ ପ୍ରମାଣ ସଂଗ୍ରହ କରୁଛନ୍ତି।
ଏହି ମାମଲାରେ ରାୟଗଡ଼ା, ଭବାନୀପାଟଣା ଓ ଜୟପୁର ଭିଜିଲାନ୍ସ ୟୁନିଟ୍ର ମିଳିତ ଟିମ୍ କାର୍ଯ୍ୟାନୁଷ୍ଠାନ ଚଳାଇଛି। ଗୁଣପୁର ଶ୍ରୀନଗରରେ ଥିବା ଅଭିଯୁକ୍ତଙ୍କ ଭଡ଼ାଘର ଓ ସିରିଝୋଲି କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇ ଆୟଠାରୁ ଅଧିକ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି। ଏହି ଅଭିଯାନରେ ୨ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇଙ୍କ ସମେତ ପ୍ରାୟ ୧୫ ଜଣିଆ ଭିଜିଲାନ୍ସ ଟିମ୍ ସାମିଲ ରହିଛନ୍ତି।

