CMOରୁ ନିଖୋଜ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଏବଂ ଭୁବନେଶ୍ୱର ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ତଦନ୍ତ ରିପୋର୍ଟ ମାମଲା: ଦୁଇ ପୂର୍ବତନ ଅଧିକାରୀଙ୍କୁ ପୁଲିସର ସମନ
ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନଙ୍କ ରିପୋର୍ଟ ନିଖୋଜ ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ପୁଲିସ ଦୁଇଜଣ ପୂର୍ବତନ ବରିଷ୍ଠ ଅଧିକାରୀ ରାଜେଶ ବର୍ମା ଓ ମନୋଜ ମିଶ୍ରଙ୍କୁ ଜେରା ପାଇଁ ସମନ ଜାରି କରିଛି। ରାଜେଶ ବର୍ମା ପୂର୍ବରୁ CMOରେ କାର୍ଯ୍ୟରତ ଥିବାବେଳେ ମନୋଜ ମିଶ୍ର ବିଜେଡି ସରକାର ସମୟରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ଥିଲେ।
ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି କ୍ୟାପିଟାଲ ଥାନାରେ ଦାଖଲ କରିଥିବା ଏଫଆଇଆର୍ରେ ଦର୍ଶାଇଛନ୍ତି ଯେ, କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ସମ୍ପର୍କିତ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ଭୁବନେଶ୍ୱର ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ସମ୍ପର୍କିତ ଆରଡିସିଙ୍କ ତଦନ୍ତ ରିପୋର୍ଟ CMOରୁ ନିଖୋଜ ହୋଇଯାଇଛି। ଏହି ଦୁଇଟି ରିପୋର୍ଟ କ୍ରମେ ୨୦୧୬ ଓ ୨୦୧୮ରେ ଗୃହ ବିଭାଗ ପକ୍ଷରୁ CMOକୁ ପଠାଯାଇଥିଲା।
ଅଭିଯୋଗ ଅନୁସାରେ, ୨୦୨୪ ବିଧାନସଭା ନିର୍ବାଚନ ପରେ ପୂର୍ବତନ ସରକାର କ୍ଷମତାଚ୍ୟୁତ ହେବା ପରେ CMO ଅନ୍ୟ ସମସ୍ତ ଫାଇଲ୍ ଗୃହ ବିଭାଗକୁ ଫେରାଇଥିଲା। କିନ୍ତୁ ଏହି ଦୁଇଟି ତଦନ୍ତ ରିପୋର୍ଟ ଫେରାଇନଥିଲା। ଏଫଆଇଆର୍ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ରିପୋର୍ଟଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ହଟାଯାଇଥିବା, ଲୁଚାଇ ରଖାଯାଇଥିବା କିମ୍ବା ନଷ୍ଟ କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାର ପ୍ରକୃତ କାରଣ ଓ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

