Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଦର୍ଶନ ପାଇଁ ଅପେକ୍ଷାରେ ଲକ୍ଷ ଲକ୍ଷ ଭକ୍ତ

ପୁରୀର ବଡଦାଣ୍ଡ ଆଜି ଭକ୍ତି ଓ ଆଧ୍ୟାତ୍ମିକତାର ମହାସମୁଦ୍ରରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଗୁଣ୍ଡିଚା ଯାତ୍ରା ଦର୍ଶନ ପାଇଁ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ସମବେତ ହୋଇଛନ୍ତି। ବିଶ୍ୱାସ ରହିଛି ଯେ, ରଥାରୂଢ଼ ଅବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ଏବଂ ପୁନର୍ଜନ୍ମରୁ ମୁକ୍ତି ମିଳେ। ଏହି ଅଟୁଟ ବିଶ୍ୱାସ ହିଁ ପ୍ରତିବର୍ଷ ରଥଯାତ୍ରାକୁ ବିଶ୍ୱର ସବୁଠାରୁ ବଡ଼ ଆଧ୍ୟାତ୍ମିକ ସମାଗମରେ ପରିଣତ କରିଥାଏ।

ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଆରମ୍ଭ ହେଉଥିବା ମହାପ୍ରଭୁଙ୍କ ଏହି ୯ ଦିନିଆ ଗୁଣ୍ଡିଚା ଯାତ୍ରାକୁ ଘୋଷଯାତ୍ରା, ପତିତପାବନ ଯାତ୍ରା, ନବଦିନାତ୍ମିକା ଯାତ୍ରା ଓ ଆଡ଼ପ ଯାତ୍ରା ଭଳି ବିଭିନ୍ନ ନାମରେ ଶାସ୍ତ୍ର ଓ ପୁରାଣରେ ବର୍ଣ୍ଣନା କରାଯାଇଛି। ପୁରୀରୁ ଆରମ୍ଭ କରି ଓଡ଼ିଶାର ପ୍ରତ୍ୟେକ କୋଣ ଏବଂ ଦେଶ-ବିଦେଶର ଅନେକ ସ୍ଥାନରେ ମଧ୍ୟ ରଥଯାତ୍ରା ଉତ୍ସବ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରାଯାଉଛି।

ରଥଯାତ୍ରାର ପ୍ରମୁଖ ନୀତିକାନ୍ତି:

  • ସକାଳ ୬:୦୦ – ମଙ୍ଗଳ ଆଳତି
  • ୬:୧୦–୬:୩୦ – ମଇଲମ ଓ ତଡପଲାଗି
  • ୭:୦୦ – ଅବକାଶ
  • ୮:୦୦–୯:୦୦ – ଗୋପାଳବଲ୍ଲଭ ଓ ସକାଳ ଧୂପ
  • ୯:୩୦ – ପହଣ୍ଡି ଆରମ୍ଭ
  • ୧୨:୩୦ – ପହଣ୍ଡି ଶେଷ
  • ଅପରାହ୍ଣ ୨:୦୦–୩:୦୦ – ଛେରାପହଁରା
  • ୩:୦୦–୪:୦୦ – ଚାରମାଳ ଫିଟା ଓ ଘୋଡ଼ା-ସାରଥୀ ଲାଗିବା
  • ଅପରାହ୍ଣ ୪:୦୦ରୁ – ତିନି ରଥ ଟଣା ଆରମ୍ଭ

ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ-ଘଣ୍ଟା ଓ ହରିବୋଲରେ ଆଜି ସମଗ୍ର ବଡଦାଣ୍ଡ ପ୍ରକମ୍ପିତ। ସମସ୍ତଙ୍କ ନଜର ଏବେ ମହାପ୍ରଭୁଙ୍କ ପହଣ୍ଡି ଓ ରଥ ଟଣା ଉପରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories